ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ଓ ଅନ୍ୟାନ୍ୟ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ସୂଚନା ଦେଇଛନ୍ତି ।
ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଟ୍ରମ୍ପଙ୍କ ସହ ତାଙ୍କର ସଫଳ ଆଲୋଚନା ହୋଇଛି । ଏହି ସମୟରେ ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୀତିକ ସହଭାଗିତାର ବିଭିନ୍ନ ଦିଗର ସମୀକ୍ଷା କରାଯାଇଛି । ଉଭୟ ନେତା ନିକଟ ସମ୍ପର୍କ ବଜାୟ ରଖି ସହଯୋଗକୁ ଆଗକୁ ବଢ଼ାଇବା ଉପରେ ସହମତ ହୋଇଛନ୍ତି ।ଆଲୋଚନାରେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ସହ ବିଶ୍ୱ ଶାନ୍ତି ଓ ସୁରକ୍ଷା ପାଇଁ ଚାଲିଥିବା ପ୍ରୟାସ ନେଇ ମଧ୍ୟ ମତ ବିନିମୟ ହୋଇଛି ।
ଗ୍ଲୋବାଲ୍ ସପ୍ଲାଇ ଚେନ୍, ପ୍ରତିରକ୍ଷା ପ୍ରଯୁକ୍ତି, AI, ସ୍ୱଚ୍ଛ ଶକ୍ତି ଓ ପାରମ୍ପରିକ ଶକ୍ତି ବାଣିଜ୍ୟରେ ଦୁଇ ଦେଶର ସହଯୋଗ ବଢ଼ୁଥିବା ବେଳେ ଏହି ଆଲୋଚନାକୁ ଆଗାମୀ ଦ୍ୱିପାକ୍ଷିକ ଓ ବାଣିଜ୍ୟିକ ଆଲୋଚନା ପାଇଁ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି । ଆଲୋଚନାରେ କ୍ରିଟିକାଲ୍ ଟେକ୍ନୋଲୋଜି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଓ ଉଚ୍ଚ ପ୍ରଯୁକ୍ତି ସମ୍ପର୍କିତ ସହଯୋଗ ମଧ୍ୟ ଗୁରୁତ୍ୱ ପାଇଛି । ବିଶ୍ୱ ଅର୍ଥନୀତିରେ AI, ସେମିକଣ୍ଡକ୍ଟର, ଡିଜିଟାଲ୍ ଟେକ୍ନୋଲୋଜି ଓ ଉନ୍ନତ ଉତ୍ପାଦନ ପ୍ରଯୁକ୍ତିର ଗୁରୁତ୍ୱ ବଢ଼ୁଥିବା ବେଳେ ଭାରତ ଓ ଆମେରିକା ଏହି କ୍ଷେତ୍ରରେ ଭାଗିଦାରି ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି ।