Categories: ଜାତୀୟ

ଗଣତନ୍ତ୍ର ବିଷୟରେ ଯେତେବେଳେ ଚର୍ଚ୍ଚା ହେବ, ମନମୋହନ ସିଂ ମନେ ପଡ଼ିବେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜ୍ୟ ସଭାରେ ଏମ୍‌ପିମାନଙ୍କୁ ବିଦାୟ ଦେବା ଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଯେତେବେଳେ ବି ଗଣତନ୍ତ୍ର ଉପରେ ଆଲୋଚନା ହେବ, ମନମୋହନ ସିଂ ମନେ ପଡ଼ିବେ। ସେ ଦାୟିତ୍ୱର ଅର୍ଥ କ’ଣ ତାହା ଶିଖାଇଛନ୍ତି। ଏମ୍‌ପିମାନଙ୍କ ପାଇଁ ସେ ଜଣେ ପ୍ରେରଣାଦାୟକ ଉଦାହରଣ। ଏହି ଗୃହରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ମନମୋହନଜୀଙ୍କୁ ବିଶେଷ ଭାବେ ମନେ ପକାଇବାକୁ ଚାହେଁ। ସେ ଏହି ଗୃହ ଏବଂ ଦେଶକୁ ଦୀର୍ଘ ସମୟ ଧରି ମାର୍ଗଦର୍ଶନ କରିଛନ୍ତି। ଯେତେବେଳେ ଏହି ଗୃହ ବିଷୟରେ ଆଲୋଚନା ହେବ, ତାଙ୍କର ଚର୍ଚ୍ଚା ନିଶ୍ଚିତ ଭାବେ ହେବ। ସେ ହୁଇଲ୍‌ ଚେୟାରରେ ଆସି ଗୃହରେ ଭୋଟ ଦେଇଛନ୍ତି। ସେ ତାଙ୍କର କର୍ତ୍ତବ୍ୟ ପାଳନ କରିଛନ୍ତି। ଗଣତନ୍ତ୍ରକୁ ସେ ଶକ୍ତି ପ୍ରଦାନ କରିଛନ୍ତି। ଜଣେ ଏମ୍‌ପି ତାଙ୍କ ଦାୟିତ୍ୱ ପାଇଁ କେତେ ଦାୟୀ ସେ ଜଣାଇଛନ୍ତି। ସେ କାହାକୁ କ୍ଷମତା ଦେବାକୁ ଆସିଥିଲେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ମୋଦି କହିଛନ୍ତି।

କହିରଖୁଛୁ, ଗୁରୁବାର ୫୬ଜଣ ଏମ୍‌ପି ରାଜ୍ୟ ସଭାରୁ ବିଦାୟ ନେଉଛନ୍ତି। ଏହାକୁ ନେଇ ମୋଦି କହିଛନ୍ତି ଯେ ଏମ୍‌ପିଙ୍କର କେବେ ବି ବିଦାୟ ହୋଇ ନ ଥାଏ।

Share