ବାରିପଦା, ୨୦।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ସମାଜର ଆସ୍ଥା ଓ ପରମ୍ପରାର ପ୍ରତୀକ ପାହାଡ଼ପୁରସ୍ଥିତ ଗୋଷାଣୀ ପୀଠରେ ପହଞ୍ଚି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିବା ବେଳେ ଉଭୟ ଏକାଠି ମା’ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ଦେଖାଯାଇଥିଲା। ଆଦିବାସୀ ପରମ୍ପରା ଅନୁଯାୟୀ ଉଭୟ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା। ଗୋଷାଣୀ ପୀଠରେ ପୂଜାର୍ଚ୍ଚନା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଏସ୍ଏଲ୍ଏସ୍ (ସତ୍ୟ ସାଇ ଲକ୍ଷ୍ମଣ ସିଂହ) ସ୍ମୃତି ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ।
ସେଠାରେ ସେମାନେ ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ-ପ୍ରଦାନ କରିବା ସହ ସେମାନଙ୍କ ପାଠପଢ଼ା, ଜୀବନଶୈଳୀ ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିକ୍ଷା ଓ ମୂଲ୍ୟବୋଧ ମାଧ୍ୟମରେ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଆଦିବାସୀ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ସମ୍ମାନ ଓ ଗୁରୁତ୍ୱକୁ ପ୍ରତିଫଳିତ କରୁଥିବା ବେଳେ, ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଖୁସିର ପରିବେଶ ଦେଖାଯାଇଛି।