ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ୧୨ଟି ରାଜ୍ୟ-କେନ୍ଦ୍ର ଅଞ୍ଚଳରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ରେକର୍ଡ ସୃଷ୍ଟି କରିବାକୁ ତୃତୀୟ ପର୍ଯ୍ୟାୟର ଭୋଟରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଅପିଲ୍‌ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି କହିଛନ୍ତି, ମୁଁ ତୃତୀୟ ପର୍ଯ୍ୟାୟର ସମସ୍ତ ଭୋଟରଙ୍କୁ ସର୍ବାଧିକ ସଂଖ୍ୟାରେ ଭୋଟ ଦେବାକୁ ଏବଂ ଏକ ନୂତନ ଭୋଟ ରେକର୍ଡ ସୃଷ୍ଟି କରିବାକୁ ଅନୁରୋଧ କରୁଛି। ଆପଣ ସମସ୍ତଙ୍କର ସକ୍ରିୟ ଅଂଶଗ୍ରହଣ ଗଣତନ୍ତ୍ରର ଏହି ପର୍ବର ସୌନ୍ଦର୍ଯ୍ୟକୁ ଆହୁରି ବଢାଇବ।
ସୂଚନାଯୋଗ୍ୟ,୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ଟାରୁ ଭୋଟର ମତଦାନ କରିଛନ୍ତି। ଏହି ପର୍ଯ୍ୟାୟରେ ଗୁଜରାଟର ୨୬ ଆସନ, କର୍ନାଟକର ୧୪, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୯, ଛତିଶଗଡ଼ର ୭, ବିହାରର ୫, ଆସାମ ଓ ପଶ୍ଚିମବଙ୍ଗର ୪ଟି ଲେଖାଏ, ଗୋଆ ଏବଂ ଦାଦ୍ରା ନଗର ହାଭେଲି ଓ ଡାମନର ୨ଟି ଲେଖାଏ ଆସନରେ ଭୋଟ ଚାଲିଛି। ୧୭ କୋଟିରୁ ଊର୍ଦ୍ଧ୍ୱ ମତଦାତା ୧ ଲକ୍ଷ ୮୫ ହଜାର ଭୋଟକେନ୍ଦ୍ରରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ଭାଜପା ନେତା ଅମିତ୍‌ ଶାହା, ମନସୁଖ ମାଣ୍ଡବ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହଲ୍ଲାଦ ଜୋଷୀ, ଶିବରାଜ ସିଂ ଚୌହାନ, ବାସବରାଜ ବୋମାଇ, କଂଗ୍ରେସ ନେତା ଦିଗବିଜୟ ସିଂ, ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ ଏବଂ ଏନ୍‌ସିପି(ଏସ୍‌ପି) ନେତ୍ରୀ ସୁପ୍ରିୟା ସୁଲେ।

Share