ମୋଦିଙ୍କ ‘କ୍ରିକେଟ କୁଟନୀତି’କୁ ନେଇ କଂଗ୍ରେସର ଟାର୍ଗେଟ

ନୂଆଦିଲ୍ଲୀ,୯ ।୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳ ଆରମ୍ଭ ଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବାନିଜ ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମରେ ପହଞ୍ଚି ଏହି ଆୟୋଜନରେ ରାଜନୈତିକ ଛୁଙ୍କ ଦେଇଛନ୍ତି ।

ଉଭୟ ନେତା ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏକ ବିଶେଷ ଗୋଲ୍ଫ କାରରେ ଷ୍ଟାଡିୟମରେ ଚକ୍କର ଲଗାଇଛନ୍ତି । ଏବେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି । ଭାରତୀୟ ଜନତା ପାର୍ଟି(ଭାଜପା) ଏହା ସରକାରଙ୍କ କ୍ରିକେଟ କୂଟନୀତି କହୁଥିବା ବେଳେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରି ଲେଖିଛନ୍ତି, ନିଜ ନାମରେ ନାମିତ ଷ୍ଟାଡିୟମରେ ଦର୍ଶକଙ୍କ ଅଭିବାଦନ କରି ଚକ୍କର ଲଗାଇବା, ଆତ୍ମମୁଗ୍ଧତାର ଚରମ ସୀମା । ଏପଟେ ଭାଜପା ଆଇଟି ସେଲର ମୁଖ୍ୟ ଅମିତ ମାଲବିୟ କାର୍ଯ୍ୟକ୍ରମର ଏକ ଫଟୋ ଶେୟାର କରି ଏହା ‘କ୍ରିକେଟ କୁଟନୀତି’ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଉଭୟ ନେତା କ୍ରିକେଟ ଖେଳାଳିଙ୍କ ସହ ସାକ୍ଷାତ୍ ବି କରିଛନ୍ତି । ଦୁଇଟି ଦେଶର ଜାତିୟ ସଙ୍ଗିତ ଗାନ ହେବା ପର୍ଯ୍ୟନ୍ତ ଉଭୟ ପ୍ରଧାନମନ୍ତ୍ରୀ ଷ୍ଟାଡିୟମରେ ରହିଥିଲେ । ଦୁଇ ଦେଶର ପ୍ରଧାନମନ୍ତ୍ରୀ ଷ୍ଟାଡିୟମରେ ଥିବା ହଲ ଅଫ ଫେମ ମ୍ୟୁଜିୟମ ବି ପରିଦର୍ଶନ କରିଛନ୍ତି ।

Share