ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ ଅନ୍ତର୍ଗତ ୪ଟି ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି। ସେଗୁଡ଼ିକ ହେଲା ୪୨ ମୌଜାର ବେଣ୍ଟକାର ଉଚ୍ଚ ବିଦ୍ୟାଳୟ, ବରୁଣେଇ ବିଦ୍ୟାପୀଠ, ଆୟତପୁର ଉଚ୍ଚ ବିଦ୍ୟାଳୟ ଓ କେଳିକଦମ୍ବ ଉଚ୍ଚ ବିଦ୍ୟାଳୟ। ଜମିଜମା ଥାଇ ସୁଦ୍ଧା ୪୨ ମୌଜାର ଦେଉଳି ସ୍ଥିତ ବାଲୁଙ୍କେଶ୍ବର ବିଦ୍ୟାପୀଠକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ତେଣୁ କଳପଡ଼ା ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୪ଟି ବିଦ୍ୟାଳୟ ନିକଟରେ ପର୍ଯ୍ୟାପ୍ତ ଗୋଚର ଜମିଥିବାରୁ ଏହାକୁ ପରବର୍ତ୍ତୀ କାଳରେ କିସମ ପରିବର୍ତ୍ତନ କରାଯିବ।

ନିୟମ ଅନୁଯାୟୀ, ଏତେ ଗୋଚର ଜମିର କିସମ ପରିବର୍ତ୍ତନ କେବଳ ରାଜ୍ୟ ସରକାର ହିଁ କରିପାରିବେ। ମାତ୍ର ବାଲୁଙ୍କେଶ୍ବର ବିଦ୍ୟାପୀଠଟି ନିଜସ୍ବ ଜାଗାରେ ରହିଛି। ଏହା ନିକଟରେ ପର୍ଯ୍ୟାପ୍ତ ଗୋଚର ଥିବାରୁ ଏହାର କିସମ ମଧ୍ୟ ସରକାର ପରିବର୍ତ୍ତନ କରି ପାରିଥାନ୍ତେ। ତାହା ହୋଇନାହିଁ।

ଏନେଇ ଜିଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକଙ୍କୁ ପଚାରିବାରୁ ସେ କୌଣସି ଯଥାର୍ଥ ଉତ୍ତର ଦେଇ ନ ଥିଲେ। ମାତ୍ର ପରବର୍ତ୍ତୀ କାଳରେ ଏହି ବିଦ୍ୟାଳୟକୁ ନୂଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ବୋଲି ଜଣେ ବରିଷ୍ଠ ଶିକ୍ଷାଧିକାରୀ କହିଛନ୍ତି।

Dharitri – Odisha’s No.1 Odia Daily

Share