ଯୁକ୍ତ୩ ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ୱର,୨୭।୯(ବ୍ୟୁରୋ): ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ପ୍ରଥମ ବର୍ଷ ପାଇଁ ଏବେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଚାଲିଛି। ତେବେ ୨୭ ତାରିଖ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ନାମଲେଖା ଅବଧି ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ। ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ମନୋନୀତ ଛାତ୍ରୀଛାତ୍ରମାନେ ୩୦ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ନାମ ଲେଖାଇ ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଥିଲା। ଏଥିରେ ମୋଟ୍‌ ୪୦,୬୧୧ ଛାତ୍ରୀଛାତ୍ର ନାମଲେଖା ପାଇଁ ମନୋନୀତ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୨୧,୫୮୪ଜଣ ଛାତ୍ରୀ, ୧୯,୦୨୪ଜଣ ଛାତ୍ର ଓ ୩ଜଣ କିନ୍ନର ରହିଛନ୍ତି। ମନୋନୀତ ଛାତ୍ରୀଛାତ୍ରମାନେ ୨୪ରୁ ୨୮ ତାରିଖ ମଧ୍ୟରେ ନାମ ଲେଖାଇବା ପାଇଁ ପୂର୍ବରୁ କୁହାଯାଇଥିଲା।