ଯୁକ୍ତ୨ ସିଟ୍‌ ବୃଦ୍ଧି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ସିଟ୍‌ ବୃଦ୍ଧି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଭିତ୍ତିଭୂମି ଥିବା ଶିକ୍ଷାନୁଷ୍ଠାନର ସିଟ୍‌ ବୃଦ୍ଧି ନେଇ ଆବେଦନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଇଛୁକ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ସାମ୍ସ ପୋର୍ଟାଲ www.samsodisha.gov.inରେ ଆବେଦନ କରିପାରିବେ। ବୁଧବାରଠାରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୦ ତାରିଖ ସନ୍ଧ୍ୟା ୬ଟାରେ ଶେଷ ହେବ। ୨୦୨୧-୨୨ ଶିକ୍ଷା ବର୍ଷରେ ସିଟ୍‌ ବୃଦ୍ଧି ପାଇଁ ଏହି ଆବେଦନ କରିପାରିବେ ଉଚ୍ଚ ମାଧ୍ୟମିକ ସ୍କୁଲ। ସୂଚନାଯୋଗ୍ୟ, ଚଳିତବର୍ଷ ମାଟ୍ରିକ୍‌ରେ ରେକର୍ଡ ସଂଖ୍ୟକ ପିଲା ପାସ୍‌ ହୋଇଥିବାରୁ ସେହି ଅନୁସାରେ ଯୁକ୍ତ୨ ସିଟ୍‌ ନ ଥିବାରୁ ନାମଲେଖା ପାଇଁ ଆଶଙ୍କା ସୃଷ୍ଟି ହୋଇଥିଲା। ଶେଷରେ ଉଚ୍ଚମାଧ୍ୟମିକ ସ୍କୁଲଗୁଡ଼ିକରେ ସିଟ୍‌ ବୃଦ୍ଧି କରିବାକୁ ବିଭାଗ ନିଷ୍ପତ୍ତି ନେଇଥିଲା।