ଶେଷ ସପ୍ତାହରେ ଯୁକ୍ତ୨ ପରୀକ୍ଷାଫଳ

ଭୁବନେଶ୍ୱର, ୫।୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳ ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ। ଏ ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଗତ ଦୁଇବର୍ଷ ହେବ କରୋନା ଯୋଗୁ ପରୀକ୍ଷା ହୋଇ ନ ଥିଲା। ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇ ଫଳ ପ୍ରକାଶ କରାଯାଇଥିଲା। କରୋନା ସଂକ୍ରମଣ କମିବା ପରେ ଚଳିତବର୍ଷ ଅଫ୍‌ଲାଇନରେ ଯୁକ୍ତ୨ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଗତ ଏପ୍ରିଲ ୨୮ରେ ପରୀକ୍ଷା ଆରମ୍ଭ ହୋଇଥିଲା। ମୋଟ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୭ଜଣ ଓ ବାଣିଜ୍ୟରେ ୨୪ ହଜାର ୧୩୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲାବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥିପାଇଁ ମୋଟ ୧ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରିଚାଳନା ହବ୍‌ କରାଯାଇଥିଲା।