ଯୁକ୍ତ ୨ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ

ଭୁବନେଶ୍ୱର,୨୭ା୮(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଯୁକ୍ତ ୨ ପାଠ୍ୟକ୍ରମ (ସିଲାବସ୍‌)ରେ ୩୦ ପ୍ରତିଶତ ହ୍ରାସ କରାଯିବ। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ ୭୦ ପ୍ରତିଶତ ସିଲାବସ୍‌ର ପାଠ ପଢ଼ିବେ। ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସିଏଚ୍‌ଏସ୍‌ଇ ନିଷ୍ପତ୍ତି ଅନୁଯାୟୀ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ପରୀକ୍ଷା ବ୍ୟବସ୍ଥା ଲାଗୁ ହେବ। ଯୁକ୍ତ ୨ ଛାତ୍ରୀଛାତ୍ରମାନେ ୨ ବର୍ଷରେ ୮ଟା ପରୀକ୍ଷା ଦେବେ। ଏକାଦଶ ଶ୍ରେଣୀରେ ୩ଟି ଇଣ୍ଟରନାଲ ଓ ଗୋଟିଏ ବାର୍ଷିକ ପରୀକ୍ଷା ହେବ। ଏହି ପରୀକ୍ଷାକୁ କଲେଜ କର୍ତ୍ତୃପକ୍ଷ ପରିଚାଳନା କରିବେ। ସେହିଭଳି ଦ୍ୱାଦଶ ଶ୍ରେଣୀ ପାଇଁ ୩ଟି ଇଣ୍ଟରନାଲ ଓ ଗୋଟିଏ ବାର୍ଷିକ ପରୀକ୍ଷା ହେବ। ଶେଷ ପରୀକ୍ଷାକୁ ସିଏଚ୍‌ଏସ୍‌ଇ ପରିଚାଳନା କରିବ। ପ୍ରଥମ ଇଣ୍ଟରନାଲ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ ଦ୍ୱିତୀୟ ଇଣ୍ଟରନାଲରେ ପଡ଼ିବ ନାହିଁ। ପ୍ରତି କ୍ୱାର୍ଟରରେ ୩୦ ନମ୍ବର ବିଶିଷ୍ଟ ଇଣ୍ଟରନାଲ ପରୀକ୍ଷା କରାଯିବ। ୩୦ ନମ୍ବରରୁ ୨୦ ନମ୍ବର ଥିଓରି ଓ ୧୦ ନମ୍ବର ପ୍ରାକ୍ଟିକାଲ୍‌ ହେବ। ସମସ୍ତ ଇଣ୍ଟରନାଲ ପରୀକ୍ଷା ସମ୍ପୃକ୍ତ କଲେଜ ପରିଚାଳନା କରିବ। ପ୍ରଥମ ବର୍ଷ ଶେଷରେ ଓ ୨ୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା କରାଯିବ। ମହାମାରୀ ସ୍ଥିତି ନ ଉପୁଜିଲେ ବାର୍ଷିକ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇବ। ମହାମାରୀ ପାଇଁ ପରୀକ୍ଷା ବନ୍ଦ ହେଲେ ଟର୍ମ ପରୀକ୍ଷା ଭିତ୍ତିରେ ଫଳ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ ଏ ନେଇ ସୂଚନା ଦେଇଛନ୍ତି। ବର୍ଷ ଆରମ୍ଭରୁ ପାଠପଢ଼ା ପ୍ରତି ଛାତ୍ରୀଛାତ୍ରଙ୍କୁ ଗୁରୁତ୍ୱ ଦେବାକୁ ହେବ। ଟର୍ମ ପରୀକ୍ଷାକୁ ହାଲୁକା ଭାବେ ନ ନେବାକୁ ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦିଆଯାଇଛି। କୌଣସି କାରଣରୁ ପରୀକ୍ଷା ନ ହେଲେ ଟର୍ମ ପରୀକ୍ଷାଗୁଡ଼ିକର ମାର୍କ ଆଧାରରେ ପରୀକ୍ଷାଫଳ ପ୍ରକାଶ କରାଯିବ।