୫-ଟି ରୂପାନ୍ତରିତ ସ୍କୁଲ୍‌ ଛାତରୁ ଖସିଲା ପ୍ଲାଷ୍ଟର

କେନ୍ଦୁଝର/ଢେଙ୍କିକୋଟ, ୨୯ା୧୦(ସ୍ବ.ପ୍ର./ଡି.ଏନ୍‌.ଏ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ଅନ୍ତର୍ଗତ ଢେଙ୍କିକୋଟସ୍ଥିତ ସତ୍ୟ ନାରାୟଣ(ଏସ୍‌ଏନ୍‌) ବିଦ୍ୟାପୀଠ ହାଇସ୍କୁଲର ଷ୍ଟାଫ୍‌ କମନରୁମ୍‌ (କର୍ମଚାରୀ ସାଧାରଣ ପ୍ରକୋଷ୍ଠ)ର ସିଲିଂ ପ୍ଲାଷ୍ଟର ଖସି ପଡ଼ିଛି। ସେଠାରେ ବସିଥିବା ଶିକ୍ଷକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସିଲିଂ ପଡ଼ିବା ଶବ୍ଦ ଶୁଣି ଶିକ୍ଷକମାନେ ସ୍ଥାନ ଛାଡ଼ି ପଳାଇଯାଇଥିଲେ। ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ ବୋଲି ଘଟଗାଁ ବ୍ଲକ୍‌ ଶିକ୍ଷା ଅଧିକାରୀ କୃଷ୍ଣ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ ୩ଟାରେ ସ୍କୁଲର ଷ୍ଟାଫ୍‌ କମନ ରୁମ୍‌ରେ ଶିକ୍ଷୟିତ୍ରୀ, ଶିକ୍ଷକମାନେ ବସିଥିଲେ। ସେ ସମୟରେ ଛାତର ପ୍ଲାଷ୍ଟର ଖସିବାକୁ ଲାଗିଥିଲା। ଏହା ଦେଖି ଶିକ୍ଷୟିତ୍ରୀ ମଧୁସ୍ମିତା ମହାପାତ୍ର ଶିକ୍ଷକ ମଦନ ମୋହନ ମହାନ୍ତଙ୍କୁ ଡାକି ଦେଇଥିଲେ। ଶିକ୍ଷକ ସେଠାରୁ ଉଠି ଯିବାର କିଛି କ୍ଷଣରେ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିଥିଲା। ସେ ବସିଥିବା ଟେବୁଲ ଉପରେ ପଡ଼ି ଏକ ଗ୍ଲୋବ୍‌ ଭାଙ୍ଗି ଯାଇଥିଲା। ତେବେ ଶିକ୍ଷକ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି। ଉକ୍ତ ସ୍କୁଲ ୫-ଟି ଯୋଜନାରେ ମରାମତି କରାଯାଇ ଗତ ଜୁଲାଇରେ ଉଦ୍‌ଘାଟିତ ହୋଇଥିଲା। ରୂପାନ୍ତରୀକରଣକୁ ୪ ମାସ ନ ପୂରୁଣୁ ଛାତରୁ ପ୍ଲାଷ୍ଟର ଖସିବାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କିଛି ମାସ ତଳେ ଉକ୍ତ ବ୍ଲକ୍‌ ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କକ୍ଷରୁ ପ୍ଲାଷ୍ଟର ଖସି ୭ ଜଣ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ର ଆହତ ହୋଇଥିଲେ।