ଛାତରୁ ପ୍ଲାଷ୍ଟର ଖସିି ଛାତ୍ର ଆହତ

ବିଶୋଇ,୫।୧୧(ଡି.ଏନ୍‌.ଏ): ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି ଯୋଜନାରେ ବିଦ୍ୟାଳୟ ଗୁଡ଼ିକୁ ନୂଆ ରୂପ ଦେଉଛନ୍ତି। ସ୍ମାର୍ଟ କ୍ଲାସ୍‌ ରୁମ୍‌ ସହିତ ଅତ୍ୟାଧୁନିକ ପାଠ୍ୟ ଉପକରଣ ଯୋଗାଇ ଦିଆଯାଉଛି। ମାତ୍ର ତରବରିଆ ଭାବେ ଓ ନିମ୍ନମାନର କାର୍ଯ୍ୟ ଯୋଗୁ ଅନେକ ବିଦ୍ୟାଳୟରେ ସିମେଣ୍ଟ ଖସିବା, କାନ୍ଥ ଫାଟି ଯିବା ପରି ପରିସ୍ଥିତି ଦେଖାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବାମନଘାଟି ଉପଖଣ୍ଡର ବିଜାତଳା ବ୍ଲକ୍‌ ସ୍ଥିତ ଲୁହାଶିଳା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ। ସ୍କୁଲର ଛାତରୁ ପ୍ଲାଷ୍ଟର ଖସି ଜଣେ ଛାତ୍ର ଆହତ ହୋଇଛନ୍ତି। ସୂଚନା ଥାଉକି, ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଉକ୍ତ ବିଦ୍ୟାଳୟରେ ୧୬୩ ଜଣ ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ବିଦ୍ୟାଳୟଟି ୫-ଟି ଯୋଜନାରେ ସାମିଲ ହୋଇଥିଲା। ୨୦୨୧ ଜୁନ୍‌ରେ କାମ ସରି ବିଦ୍ୟାଳୟକୁ ଉଦ୍‌ଘାଟନ କରାଯାଇଥିଲା। ତେବେ ଗୁରୁବାର ବିଦ୍ୟାଳୟରେ ୯ମ ଶ୍ରେଣୀ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଶ୍ରେଣୀ ଗୃହରେ ଛାତରୁ ପ୍ଲାଷ୍ଟର ଖସି ଯାଇଥିଲା। ଛାତ୍ରୀଛାତ୍ରମାନେ ପ୍ଲାଷ୍ଟର ଖସିଯିବାର ପୂର୍ବ ସୂଚନା ପାଇ ବାହାରକୁ ଦୌଡ଼ି ପଳାଇଥିବାରୁ ୩୧ ଛାତ୍ରୀଛାତ୍ର ନିଶ୍ଚିନ୍ତ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ। ତଥାପି ଶ୍ରେଣୀ ଗୃହରେ ବସିଥିବା ଜଣେ ଛାତ୍ର ଗୋଡ଼ ଓ ହାତରେ ପ୍ଲାଷ୍ଟର ଖଣ୍ଡ ପଡ଼ି ଆହତ ହୋଇଥିଲେ। ଖବରପାଇ ସ୍ଥାନୀୟ ବିଡିଓ, ସହକାରୀ ଯନ୍ତ୍ରୀ ସ୍କୁଲକୁ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ।