କାଠମାଣ୍ଡୁ,୧୧।୫: ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବିମାନର ଟାୟାରରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ପୋଲିସ ନିଶ୍ଚିତ କରିଛି ଯେ ନିଆଁକୁ ନିୟନ୍ତ୍ରଣ କରାଯାଇଛି ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ବିମାନରେ ମୋଟ ୨୭୮ ଜଣ ଯାତ୍ରୀ ଏବଂ ୧୧ ଜଣ କ୍ରୁ ସଦସ୍ୟ ଥିଲେ।
ବିମାନବନ୍ଦର ସୁରକ୍ଷା ପାଇଁ ପୋଲିସ ଅଧୀକ୍ଷକ (ଏସପି) ରାଜକୁମାର ସିଲାୱାଲ ଫୋନ ଯୋଗେ ANIକୁ କହିଛନ୍ତି, ‘ତୁର୍କୀଶ ଏୟାରଲାଇନ୍ସର ବିମାନ TK 726 ଇସ୍ତାନବୁଲରୁ କାଠମାଣ୍ଡୁ ଆସୁଥିଲା ବେଳେ ଅବତରଣ ସମୟରେ ଏହାର ଗୋଟିଏ ଟାୟାରରେ ନିଆଁ ଲାଗିଗଲା। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି।’
ଅଧିକାରୀଙ୍କ ଅନୁଯାୟୀ, ବିମାନରେ ମୋଟ ୨୭୮ ଜଣ ଯାତ୍ରୀ ଏବଂ ୧୧ ଜଣ କ୍ରୁ ସଦସ୍ୟ ଥିଲେ। ଯାତ୍ରୀମାନଙ୍କ ମଧ୍ୟରେ ଅନେକ ସଂଯୁକ୍ତ ରାଷ୍ଟ୍ରର ଅଧିକାରୀ ଥିଲେ।