କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ ରାସ୍ତା ଶୋଚନୀୟ ହୋଇ ପଡ଼ି ରହିଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ଓ ଦାବି ପରେ ଗତ ୪/୫ ମାସ ତଳେ ଏହାର ମରାମତି କରାଯାଇଥିଲା। ତେବେ ଅତ୍ୟଧିକ ନିମ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମାଣର ୫ ମାସ ନପୁରୁଣୁ ରାସ୍ତାର ସ୍ଥାନେ ସ୍ଥାନେ ପିଚୁ ଉଠି ଯାଇ ଗର୍ତ୍ତ ସୃଷ୍ଟି ହେଇଗଲାଣି। ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଏହି ପ୍ରଧାନମନ୍ତ୍ରୀ ସଡ଼କ ଲଡୁଗାଁର ଜନୈକ ଠିକାଦାର ଦ୍ବାରା କାର୍ଯ୍ୟ କରାଯାଇଥିଲା।
ଠିକାଦାର ନିଜ ମନମୁଖୀ କାମ କରିଥିବା ବେଳେ ଏବେ ନିର୍ମାଣର କିଛି ମାସ ମଧ୍ୟରେ କାର୍ଯ୍ୟର ମାନ ପଦାରେ ପଡ଼ିଛି । ପ୍ରାୟ ୩ କିଲୋମିଟର ଏହି ରାସ୍ତାର ବହୁ ସ୍ଥାନରେ ପିଚୁ ଉଠି ଖାଲଖମା ସୃଷ୍ଟି ହୋଇଛି ଯେ ଗଣିବା ମଧ୍ୟ ମୁସ୍କିଲ ହୋଇଛି । ଏଥିରୁ ଜଣାପଡୁଛି ଯେ’ ରାସ୍ତା କେମିତି ତିଆରି ହୋଇଛି । ପ୍ରକାଶଥାଉକି, ଏହି ରାସ୍ତା ଟି ବଡକେନ୍ଦୁଗୁଡା, ବନ୍ଧପଡା, ମୁଗୁନାପଦର, ଡୁଡୁକାଠେଙ୍ଗା, ଧୋବେନଚଞ୍ଚରା, ବିଜମରା, ଦର୍ଲିପଡା, ଧୋବେନପଡା ଆଦି ଗ୍ରାମର ଲୋକଙ୍କ ପାଇଁ ଏକ ପ୍ରମୁଖ ରାସ୍ତା ଅଟେ । ଏହା ସହ ଷୋଢଶ ଶତାବ୍ଦୀର ଝାରବନ୍ଧ ଶ୍ରୀ କାଲେଶ୍ବର ଶୈବପୀଠ ଓ ପ୍ରାଗ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ପାଇଁ ଏହା ପ୍ରମୁଖ ପଥ ହୋଇଥିବା ବେଳେ ଦୈନିକ ଶହ ଶହ ଲୋକଙ୍କ ଯାତାୟାତ ଲଗି ରହିଥାଏ । ଏଭଳି ଏକ ପ୍ରମୁଖ ରାସ୍ତା ନିମ୍ନମାନର କାର୍ଯ୍ୟ ଯୋଗୁଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲଖମା ଯୋଗୁଁ ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟୁଥିବା ବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଏଭଳି ନିମ୍ନମାନର କାର୍ଯ୍ୟ କରିଥିବା ଠିକାଦାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି ।