ବ୍ରହ୍ମପୁର,୨୪।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଭଜପା ନେତା ତଥା ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୋଗକାରୀ ତଥା ପୀତବାସଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା(୪୮)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଟ୍ୟୁମର ଅସ୍ତ୍ରୋପଚାର ପରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୋରରେ ତାଙ୍କର ମୃତ୍ୟୁ ଘଟିଛି। ଭାଜପା ନେତା ପୀତବାସଙ୍କୁ ୨୦୨୫ କୁମାର ପୂର୍ଣ୍ଣମୀ ରାତିରେ ତାଙ୍କ ଘର ନିକଟରେ ଦୃର୍ବୃତ୍ତମାନେ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲ।
ଏହି ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବିଇଏମ୍ସି ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ, ସୁପାରୀ କିଲର ସମେତ ୧୬ ଅଭିଯୁକ୍ତଙ୍କୁ ବୈଦ୍ୟନାଥପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିକଟରେ ବିକ୍ରମ ଜାମିନରେ ଆସିଛନ୍ତି। ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆସନ୍ତା ୨୭ ତାରିଖରେ ମାମଲାର ଶୁଣାଣି ହେବ। ବିକ୍ରମ ପଣ୍ଡା ଓ ଅଭିଯୋଗକାରୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ଏଭଳି ସ୍ଥିତିରେ ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।