ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ତାଳଚେର,୨୦।୪(ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ରବିବାର ରାତିରେ ଚିହ୍ନଟ ହୋଇଛି। ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂର ଉଚ୍ଚ ବିଦ୍ୟାଳୟ ପାଚେରି ନିକଟସ୍ଥ ପଡିଆରେ ମା’ ଅଗ୍ନିରୂପା ଆବିର୍ଭାବ ହୋଇଛନ୍ତି। ରବିବାର ମଧ୍ୟ ରାତ୍ରିରେ ଦେହୁରୀ ମା’ଙ୍କୁ ଶାବରୀ ମନ୍ତ୍ରରେ ଆରାଧନା କରି ବଶୀଭୂତ କରିବା ସହ କୋଇଲା ସଂଯୋଗ କରି ଉଭାସ୍ଥଳୀ ଚିହ୍ନଟ କରିଥିଲେ। ତେବେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମା’ଙ୍କ ଉଭାସ୍ଥଳୀ ନିକଟକୁ ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଛି। ତେଣୁ ଆବିର୍ଭାବସ୍ଥଳୀରେ ପୋଲିସ ମୁତୟନ କରାଯାଇଛି। ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଆସନ୍ତା ୨୬ ତାରିଖ ଠାରୁ ଆରମ୍ଭ ହେଉଥିଲେ ମଧ୍ୟ ସେଥିରେ କୌଣସି ଭକ୍ତ ଯୋଗଦେଇ ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ମା’ଙ୍କ ଏହି ବାର୍ଷିକ ଯାତ୍ରା କେବଳ ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି।