୧୭,୭୩,୨୪୪ ପରିବାରକୁ ପାଇପ୍‌ ଯୋଗେ ପାନୀୟଜଳ

ଭୁବନେଶ୍ୱର,୨୬ା୭(ବ୍ୟୁରୋ):ଚଳିତବର୍ଷ ୧୭,୭୩,୨୪୪ ଗ୍ରାମୀଣ ପରିବାରଙ୍କୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ। ଏପର୍ଯ୍ୟନ୍ତ ରାଜ୍ୟର ୪୩, ୮୬, ୭୫୯ ପରିବାରକୁ ଟ୍ୟାପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଛି। ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୋମବାର ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା ପରେ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଚଳିତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୫୦୫.୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୧-୨୨ରେ ଏହି ଯୋଜନାରେ ୧୧୩୮.୦୨ କୋଟି ଟଙ୍କା ବ୍ୟୟ କରାଯାଇ ମୋଟ ୧,୦୫, ୩୭୭ ବାସଗୃହ ନିର୍ମାଣ ସମ୍ପୂର୍ଣ୍ଣ କରାଯାଇଛି। ସେହିପରି ୨୦୨୧-୨୨ରେ ବିଜୁ ପକ୍କାଘର ଯୋଜନାରେ ୯୧୫.୧୪ କୋଟି ଟଙ୍କା ବ୍ୟୟ କରାଯାଇ ମୋଟ୍‌ ୧,୯୧୦ ବାସଗୃହ ନିର୍ମାଣ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଲାଗି ଏହି ଯୋଜନା ପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନୂଆପଡ଼ା, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜିଲାର ୨୦ଟି ଦାଦନପ୍ରବଣ ବ୍ଲକରେ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଓ ସର୍ବନିମ୍ନ ମଜୁରିର ସ୍ବତନ୍ତ୍ର ପ୍ୟାକେଜ୍‌ ପାଇଁ ୫୦୦ କୋଟି ଟଙ୍କାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଦୀନ୍‌ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ୨୦୨୧-୨୨ରେ ମୋଟ ୩୦,୨୭୧ ଜଣ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ ବୋଲି କହିଛନ୍ତି।
ରାଜ୍ୟ ସରକାର ଜଳସଙ୍କଟ ଥିବା ଜିଲାଗୁଡ଼ିକୁ ପାନୀୟ ଜଳ ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କାଘର ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିରେ ବ୍ୟାପକ ଅନିୟମିତତା ହେଉଛି। ଆମ ଗାଁ ଆମ ବିକାଶ ଯୋଜନା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ପଞ୍ଚାୟତଗୁଡିକୁ କ୍ଷମତା ହସ୍ତାନ୍ତର କରାଯାଉନାହିଁ। ଲୋକସଂଖ୍ୟା ବଢୁଥିଲେ ମଧ୍ୟ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତିଗୁଡ଼ିକର ପୁନର୍ଗଠନ ହେଉନାହିଁ। ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ସୋମବାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ଉଭୟ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତ ସମିତି ରାସ୍ତାଗୁଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ସହ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପେନ୍‌ସନ ଦେବାକୁ ବିରୋଧୀ ଦଳ ଦାବି କରିଛନ୍ତି। ଆଲୋଚନା ଶେଷରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୨୨୭୩୪, ୮୪,୪୫୦୦୦ ଟଙ୍କାର ଖର୍ଚ୍ଚ ଦାବି ସୋମବାର ବିଧାନସଭାରେ ଗୃହୀତ ହୋଇଛି। ଖର୍ଚ୍ଚ ଦାବି ଆଲୋଚନାରେ ବିଧାୟକ ସୁକାନ୍ତ ନାୟକ, ରାଜେନ୍ଦ୍ର ସାହୁ, ଭୂପିନ୍ଦର ସିଂ, ତାରା ପ୍ରସାଦ ବାହିନୀପତି, ଉମାକାନ୍ତ ସାମନ୍ତରାୟ, ମୋହନ ଚରଣ ମାଝି, କେ. ନାରାୟଣ ରାଓ, ଦାଶରଥି ଗମାଙ୍ଗ ଏବଂ ମକରନ୍ଦ ମୁଦୁଲି ପ୍ରମୁଖ ଭାଗ ନେଇଥିଲେ।