ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଶିବ ମନ୍ଦିରରେ ଠାକୁର ଦର୍ଶନ କରିବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ବାଇକ୍ ଦୁର୍ଘଟଣାରେ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ବାଇକ୍ରେ ଥିବା ଝିଆରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।
ଗଞ୍ଜାମ ଜିଲା ଭଞ୍ଜନଗର-ଦୁର୍ଗାପ୍ରସାଦ ମୁଖ୍ୟ ରାସ୍ତାର ଲାଲସିଂ ସ୍ଥିତ ସ୍ଥାୟୀ ନର୍ସରୀ ସମ୍ମୁଖରେ ସୋମବାର ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ମୁଜାଗଡ଼ର ଜିତେନ୍ଦ୍ର ନାୟକ (୨୭)। ତାଙ୍କ ଭଉଣୀ ଗୁରୁତର ଆହତ ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ସାମାନ୍ୟ ଆହତ ହୋଇଥିବା ଝିଆରୀ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି।
ସୂଚନା ଅନୁଯାୟୀ, ସୋମବାର ଥିବାରୁ ଜିତେନ୍ଦ୍ର ତାଙ୍କ ଭଉଣୀ ଓ ଝିଆରୀଙ୍କୁ ବାଇକ୍ରେ ବସାଇ ଭଞ୍ଜନଗର ବନ ଉନ୍ନୟନ ନିଗମ ଡିପୋ ପରିସରରେ ଥିବା ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ। ଲାଲସିଂ ନର୍ସରୀ ସମ୍ମୁଖରେ ଚକାଡୋଳା ରିସର୍ଟ ଆଡ଼ୁ ହଠାତ୍ ଅନ୍ୟ ଏକ ଗାଡ଼ି ଚାଲି ଆସିଥିଲା। ଏହାକୁ ଦେଖି ଜିତେନ୍ଦ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ସୋଲାର ଲାଇଟ୍ ଖୁଣ୍ଟରେ ବାଇକ୍କୁ ପିଟି ଦେଇଥିଲେ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଜିତେନ୍ଦ୍ରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତ ଦୁଇ ଜଣଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସୋମବାର ଅପରାହ୍ନରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।