ମୋହନା, ୨୩।୧୧(ମନ୍ମଥ ମିଶ୍ର):ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ବିଶ୍ରାମଗାର ଏବେ ଅଳିଆ ଆବର୍ଜନା ଓ ଖାଲି ମଦ ବୋତଲରେ ଭର୍ତ୍ତି। ଗଜପତି ଜିଲା ମୋହନା ସହରର ହିଲଟପ ମହାବିଦ୍ୟାଳୟ ନିକଟ କଲେଜ ଛକରେ ଥିବା ବିଶ୍ରାମଗାରର ଏଭଳି ଅବ୍ୟବସ୍ଥା ଯୋଗୁଁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶ୍ରାମଗାରରେ ବସିବା ପରିବର୍ତ୍ତେ ଯାତ୍ରୀମାନେ ବାହାରେ ଠିଆ ହୋଇ ବସ୍କୁ ଅପେକ୍ଷା କରୁଥିବା ଦେଖାଯାଉଛି।
ମୋହନା କଲେଜ ଛକରେ ଥିବା ଏହି ବିଶ୍ରାମଗାରଟି ଏକ ପ୍ରମୁଖ ଯାତ୍ରୀ ଅପେକ୍ଷାସ୍ଥଳୀ। ଏଠାରୁ ପାରଳାଖେମୁଣ୍ଡି, ରାୟଗଡ଼ା ଓ ବ୍ରହ୍ମପୁର ଯାଉଥିବା ଯାତ୍ରୀମାନେ ବସ୍କୁ ଅପେକ୍ଷା କରିଥାନ୍ତି। ମାତ୍ର ବିଶ୍ରାମଗାର ଭିତରେ ଅଳିଆ ଆବର୍ଜନା ସହ ମାଳ ମାଳ ଖାଲି ମଦ ବୋତଲ ପଡ଼ିରହିଥିବାରୁ ଏହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି।
ଅନ୍ୟପଟେ ପ୍ରତିଦିନ ଏହି ରାସ୍ତା ଦେଇ ନିକଟସ୍ଥ ମହାବିଦ୍ୟାଳୟକୁ ୧୦୦୦ରୁ ଅଧିକ ଛାତ୍ରୀଛାତ୍ର ପାଠ ପଢ଼ିବାକୁ ଆସୁଛନ୍ତି। ସାଧାରଣ ଲୋକଙ୍କ ସହ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ଏତେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ବଚ୍ଛତାର ଏଭଳି ଦୁରବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସ୍ବଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବା ସତ୍ତ୍ୱେ ଏହି ବିଶ୍ରାମଗାରର ସଫେଇ ହେଉ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ଅଳିଆ ଆବର୍ଜନା ସଫା କରିବା, ଖାଲି ମଦ ବୋତଲ ହଟାଇବା ସହ ନିୟମିତ ସଫେଇ ଓ କଡ଼ା ନଜରଦାରି ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏ ସମ୍ପର୍କରେ ମୋହନାର ପିଇଓ ସନ୍ତୋଷ କାରିକାଙ୍କୁ ପଚରାଯିବାରୁ ସେ ଅତିଶୀଘ୍ର ବିଶ୍ରାମଗାରକୁ ସଫାସୁତୁରା କରାଯିବ ବୋଲି କହିଛନ୍ତି। ସ୍ବଚ୍ଛ ଓ ସୁରକ୍ଷିତ ମୋହନା ଗଢ଼ିବା ପାଇଁ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଉ ବୋଲି ଦାବି ଜୋର ଧରିଛି।