ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ ପଶି କାନ୍ଥ ଭାଙ୍ଗିଲା ପିକଅପ୍‌ ଭ୍ୟାନ୍‌। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ବୁଧବାର ରାତିରେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଓଡ଼ିଆ ବାଙ୍ଗଟିପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ପିକଅପ୍‌ ଭ୍ୟାନ ଦ୍ରୁତଗତିରେ ଆସୁଥିବା ବେଳେ ବାଙ୍ଗଟିପଡ଼ା ଛକ ନିକଟରେ ସାମ୍ନାପଟୁ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା। ପରେ ଭାରସାମ୍ୟ ହରାଇ ଆଉ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଧକ୍କାରେ ଦ୍ୱିତୀୟ ବାଇକ ଚାଳକ ଛିଟିକି ରାସ୍ତାକଡ଼ରେ ପଡ଼ିଥିଲେ। ଏତିକିରେ ଭ୍ୟାନ୍‌ଟି ଅଟକି ନ ଥିଲା। ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ଘରକୁ ଧକ୍କା ଦେବାରୁ ଘର କାନ୍ଥ ଭାଙ୍ଗିଯାଇଥିଲା।

ତେବେ ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣାରେ ଗୁରୁତର ଥିବା ଦ୍ୱିତୀୟ ବାଇକ୍‌ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଭବାନୀପାଟଣା ସହରର ନକଟିଗୁଡ଼ା ଅଞ୍ଚଳର ଅନିଲ ନାଏକ(୨୫) ବୋଲି ଜଣାପଡିଛି। ଅନ୍ୟ ଜଣେ ବାଇକ ଚାଳକ ମଧ୍ୟ ଗୁରୁତର ହୋଇ ସ୍ଥାନୀୟ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ଭବାନୀପାଟଣା ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ଟାଉନ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମାହାପାତ୍ର କହିଛନ୍ତି ଯେ, ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି। ପିକଅପ ଭ୍ୟାନ ଚାଳକଙ୍କୁ ଅଟକ ରଖାଯାଇଛି।

Share