୨୦୦ ଫୁଟ ତଳକୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ

ପାରଳାଖେମୁଣ୍ଡି,୧୧ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ବ୍ଲକ ବୁରଖତ ଗ୍ରାମ ନିକଟ ଘାଟି ରାସ୍ତାରେ ଶନିବାର ଏକ ପିକ୍‌ଅପ୍‌ ଭ୍ୟାନ ୨୦୦ ଫୁଟ ତଳକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଛି। ମୃତକ ହେଲେ ଗୋଷାଣୀ ବ୍ଲକ ଗାରାବନ୍ଧ ଗଁା କୁମୁଟି ସାହିର କେ. ମଣିମାଳା (୪୫)।

ଶନିବାର ଗାରାବନ୍ଧ ଗ୍ରାମର ୧୮ ଜଣ ମହିଳା ଓ ପୁରୁଷ ମିଶି ଏକ ପିକ୍‌ଅପ୍‌ରେ ମହେନ୍ଦ୍ରଗିରି ପର୍ବତରେ ଥିବା ଶୈବପୀଠ ଦର୍ଶନ କରିବା ପାଇଁ ଯାଇଥିଲେ। ସେଠାରୁ ଗ୍ରାମକୁ ଫେରୁଥିବା ବେଳେ ବୁରଖତ ଗ୍ରାମ ନିକଟ ଘାଟି ରାସ୍ତାରେ ପିକ୍‌ଅପ୍‌ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ମଣିମାଳାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ଲୋକେ ଓ ଗାରାବନ୍ଧ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି କଇଁପୁର ପ୍ରାଥମିକ ଚିକିତ୍ସାଳୟ ପରେ ଗାରାବନ୍ଧ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।