ସୁଶାନ୍ତ ଧଳସାମନ୍ତ ଥିବା ଜେଲ ଭିତର ଫଟୋ ଭାଇରାଲ

ବଲାଙ୍ଗୀର ଅଫିସ,୧୫।୧୨: ୨୦୧୮ ମସିହାରୁ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ବଲାଙ୍ଗୀର ଜିଲା ଜେଲରେ ରହିଛନ୍ତି। ଏବେ ସୁଶାନ୍ତ ଥିବା ଜେଲ ଭିତରର ଫଟୋ ଭାଇରାଲ ହେବା ପରେ ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଭାଇରାଲ ହୋଇଥିବା ଫଟୋରେ ଜେଲ ସେଲ ଭିତରେ ଅଣ୍ଡା, ଟମାଟୋ, ପିଆଜ, ରସୁଣ, ତେଲ, ସାବୁନ ଓ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ସାମଗ୍ରୀ ଥିବା ଦେଖାଯାଇଛି। ଏ ନେଇ ଜେଲ ଅଧୀକ୍ଷକ ଉର୍ମିଳା ମିଞ୍ଜଙ୍କୁ ପଚାରିବାରୁ ଭାଇରାଲ ହୋଇଥିବା ଫଟୋଟି ଜେଲ ସେଲର ବୋଲି ସ୍ବୀକାର କରିଥିଲେ ମଧ୍ୟ ଏହା ତାଙ୍କ ସମୟର ନୁହେଁ ବୋଲି କହିଛନ୍ତି। ଜେଲ ମାନୁଆଲ ଅନୁଯାୟୀ ସୁଶାନ୍ତଙ୍କୁ ଅନ୍ୟ ଅନ୍ତେବାସୀ ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଏହାଛଡା ଅତିରିକ୍ତ କିଛି ବି ସୁବିଧା ଯୋଗାଯାଇନାହିଁ ବୋଲି ସେ କହିଛନ୍ତି। ଜେଲ ଭିତର କେତେକ ଅସାଧୁ ଷ୍ଟାଫ୍‌ ଏଭଳି ଫଟୋ ଉଠାଇ ଭାଇରାଲ କରିଥାଇପାରନ୍ତି ବୋଲି ସେ କହିଛନ୍ତି। ଜେଲ ଭିତର ସୁରକ୍ଷାକୁ ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସୁରକ୍ଷା କଡାକଡି ରହିଛି, ମାତ୍ର ଜେଲ ଭିତର ଫଟୋ ଭାଇରାଲ ହେବା ମଧ୍ୟ ଚିନ୍ତାର ବିଷୟ ବୋଲି କହିଛନ୍ତି। ଏନେଇ ଉପରିସ୍ଥ ଅଧିକାରୀମାନେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।