ପେଟ୍ରୋଲ ୨୨, ଡିଜେଲ ୨୬ ପଇସା ହ୍ରାସ

ଭୁବନେଶ୍ୱର,୩୧।୩: ଗୋଟିଏ ସପ୍ତାହ ମଧ୍ୟରେ ଲଗାତର ତୃତୀୟ ଥର ଲାଗି ତେଲ ଦର ହ୍ରାସ ହୋଇଛି। ମଙ୍ଗଳବାର ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ଦର ୨୬ ପଇସା କମିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୯୧.୨୮ ଟଙ୍କା ଏବଂ ଡିଜେଲ ୮୮.୧୩ ଟଙ୍କାକୁ ଖସିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ହେବା ଫଳରେ ଘରୋଇ ବଜାରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି। ସେହିଭଳି ନୂଆଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୨୨ ଏବଂ ୨୩ ପଇସା କମିଛି। ଫଳରେ ଏହି ସହରରେ ଇନ୍ଧନ ଦର ୯୦.୫୬ ଟଙ୍କା ଏବଂ ୮୦.୮୭ ଟଙ୍କାରେ ବିକ୍ରି ହେଉଛି। ରାଜ୍ୟଗୁଡ଼ିକ ସ୍ତରରେ ଲାଗୁ ହେଉଥିବା ଭାଟ୍‌ରେ ଭିନ୍ନତା ଯୋଗୁ ତେଲ ଦର ଭିନ୍ନ ରହୁଛି। ମୁମ୍ବାଇରେ ପେଟ୍ରୋଲ ୯୬.୯୮ ଟଙ୍କା ଏବଂ ଡିଜେଲ ୮୭.୯୬ ଟଙ୍କାରେ ବିକ୍ରି ହେଉଛି। କୋଭିଡ୍‌ ମାମଲା ବଢ଼ିବା ଯୋଗୁ ଅନ୍ତର୍ଜାତୀୟ ବଜାରରେ ତେଲ ଦର ମାର୍ଚ୍ଚ ୨୪ରେ ପ୍ରଥମେ ହ୍ରାସ ହୋଇଥିଲା। ସେହିଭଳି ମାର୍ଚ୍ଚ ୨୫ରେ ପୁଣି ଥରେ ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ମୋଟ ୩ ଥର ଦର ହ୍ରାସ ହେବା ଯୋଗୁ ପେଟ୍ରୋଲ ୬୧ ଏବଂ ଡିଜେଲ ୬୦ ପଇସା ଖସିଛି। ଦର ହ୍ରାସ ହୋଇଥିଲେ ମଧ୍ୟ ଗତବର୍ଷ ମାର୍ଚ୍ଚରେ ସରକାର ଟିକସ ବଢ଼ାଇବା ପରଠାରୁ ପେଟ୍ରୋଲ ୨୧.୫୮ ଟଙ୍କା ଏବଂ ଡିଜେଲ ୧୯.୮୧ ଟଙ୍କା ଊର୍ଦ୍ଧ୍ୱରେ ରହିଛି। ଅନ୍ତର୍ଜାତୀୟ ବଜାରରେ ଦର ଖସିବା ଯୋଗୁ କମ୍ପାନୀ ଦରରେ କିଛିଟା ହ୍ରାସ କରୁଛନ୍ତି। ମାତ୍ର ଟିକସ ହ୍ରାସ ଦ୍ୱାରା ଖାଉଟିଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଦିଗରେ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଏ ନେଇ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି।