ଅମରପାଲି,୧୫।୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଅଞ୍ଚଳରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେବାରୁ ସ୍ଥାନୀୟ ଜନଜୀବନରେ ଭାରୀ ପ୍ରଭାବ ପଡ଼ିଛି। ଅନେକ ପେଟ୍ରୋଲ ପମ୍ପ ବନ୍ଦ ହୋଇଥିବା ବେଳେ, ଚାଲୁଥିବା ପମ୍ପଗୁଡ଼ିକରେ ଉପଭୋକ୍ତାଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି।
ସୂଚନା ଅନୁସାରେ ବୀରମହାରାଜପୁର ଅଞ୍ଚଳରେ ମୋଟ ଚାରିଟି ପେଟ୍ରୋଲ ପମ୍ପ ରହିଛି । ସେଥିମଧ୍ୟରୁ ଗୁରୁବାର ଦିନ ଦୁଇଟି ପମ୍ପ ସମ୍ପୁର୍ଣ୍ଣରୂପେ ବନ୍ଦ ରହିଥିଲା। ହିଲୁଙ୍ଗ ଓ ବାଗବର-ଜଟେସିଂହା ମଧ୍ୟରେ ଥିବା ପମ୍ପଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଅଭାବରୁ ବନ୍ଦ ହୋଇପଡ଼ିଛି ।
ଏହାପୂର୍ବରୁ ବୁଧୁବାର ଦିନ କାନପୁର ନିକଟସ୍ଥ ପମ୍ପରେ ମଧ୍ୟ ଇନ୍ଧନ ଅଭାବ ଯୋଗୁଁ ସେବା ବନ୍ଦ ରହିଥିଲା। ଗୁରୁବାର ଅପରାହ୍ନରେ ସେଠାରେ ପୁନଃ ଇନ୍ଧନ ମିଳିବା ଆରମ୍ଭ ହେବା ସହିତ ଗ୍ରାହକମାନଙ୍କର ଭିଡ଼ ବଢ଼ି ଲମ୍ବା ଲାଇନ୍ ଲାଗିଥିଲା। ଅନ୍ୟପଟେ, ଉଫୁଲା ଅଞ୍ଚଳର ପମ୍ପରେ ମଧ୍ୟ ସମାନ ଅବସ୍ଥା ରହିଛି।
ଇନ୍ଧନ ଅଭାବର ଏହି ସମସ୍ୟା ଚାଷୀମାନଙ୍କୁ ବେଶି ପ୍ରଭାବିତ କରୁଛି। ଏହି ସମୟରେ ଚାଷ କାମ ଓ ମାଟିକାମ ଚାଲିଥିବା ବେଳେ ଡିଜେଲ ନମିଳିବାରୁ କୃଷି କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଯଦି ଶୀଘ୍ର ପେଟ୍ରୋଲ ଓ ଡିଜେଲ ଯୋଗାଣ ସ୍ଥିର ହେବାକୁ ବ୍ୟବସ୍ଥା ନହୁଏ, ତେବେ ଆଗାମୀ ଦିନରେ ପରିସ୍ଥିତି ଆହୁରି ସାଂଘାତିକ ହୋଇପଡ଼ିବ ବୋଲି ସ୍ଥାନୀୟମାନେ ଆଶଙ୍କା କରୁଛନ୍ତି ।