Categories: ବାଣିଜ୍ୟ

ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ବଢ଼ିବା ଆଶଙ୍କା, ୮ ବର୍ଷର ରେକର୍ଡ ଭାଙ୍ଗିଲା ଆଶୋଧିତ ତୈଳ…

ନୂଆଦିଲ୍ଲୀ, ୧୫।୨ : ସମ୍ପ୍ରତି ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି। ଏହାପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦାମ୍‌ ୮ ବର୍ଷର ରେକର୍ଡ ଭାଙ୍ଗି କ୍ରମାଗତ ବୃଦ୍ଧି ପାଇବାରେ ଲାଗିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

ଏବେ ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦାମ୍‌ ବ୍ୟାରେଲ୍‌ ପିଛା ୯୫ ଡଲାର ଛୁଇଁଛି। କିଛି ଦିନ ମଧ୍ୟରେ ଏହା ୧୦୦ ଡଲାରରେ ପହଞ୍ଚିବ ବୋଲି ଅର୍ଥନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏହା ପୂର୍ବରୁ ୮ ବର୍ଷ ତଳେ ୨୦୧୪ରେ ଅଶୋଧିତ ତୈଳ ଦାମ୍‌ ବ୍ୟାରେଲ୍‌ ପିଛା ୯୫ ଡଲାରରେ ପହଞ୍ଚିଥିଲା।

୨୦୨୧ରେ ଅଶୋଧିତ ତୈଳ ଦାମ୍‌ ବ୍ୟାରେଲ ପିଛା ୬୯ ଡଲାର ଥିଲା। ଏବେ ଏହା ୩୭ ପ୍ରତିଶତ ବୃଦ୍ଧି ପାଇଛି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କଲେ ଆଗାମୀ ଦିନରେ ଏହା ୧୨୦ ଡଲାରରେ ପହଞ୍ଚିବାର ଆଶଙ୍କା ରହିଛି। ବଜାର ଚାହିଦା ଅନୁସାରେ ଉତ୍ପାଦନ କମ୍‌ ହେଉଥିବାରୁ ଅଶୋଧିତ ତୈଳ ଦାମ୍‌ରେ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି।

Share