ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି ରହିଥିବାବେଳେ ବୁଧବାର ୨ଟି ଯାକ ପେଟ୍ରୋଲ ଟାଙ୍କିରେ ତାଲା ଝୁଲୁଛି। ଫଳରେ ଉପଭୋକ୍ତାମାନେ ବହୁତ ହଇରାଣ ଭୋଗୁଛନ୍ତି। ଜରୁରୀକାଳିନ ପରିସ୍ଥିତିରେ ବାଇକ୍‌ ଓ ଅନ୍ୟ ଗାଡ଼ିମାଲିକମାନେ ବଜାରରୁ ଖୋଲା ପେଟ୍ରୋଲ ଓ ଡିଜେଲ ଚଢ଼ାଦରରେ କିଣି ହଇରାଣ ଓ ଆର୍ଥିକ ଅନଟନର ଶିକାର ହେଉଛନ୍ତି। କଳାବଜାରୀଙ୍କ ଦୋରାତ୍ମ୍ୟ ବୃଦ୍ଧି ପାଇଛି। ଉକ୍ତ ବ୍ଲକର ଭୌଗୋଳିକ ସ୍ଥିତି ଦେଖିଲେ ଚାରିଆଡ଼େ ପାହାଡ଼, ଘାଟି ଜଙ୍ଗଲିଆ ରାସ୍ତା ହୋଇଥିବା ବେଳେ ସବୁ ଗାଁକୁ ବସ୍‌ ଚଳାଚଳ କରୁନାହିଁ। ଫଳରେ ଲୋକମାନେ ଅଟୋ, ବାଇକ ଉପରେ ନିର୍ଭର କରୁଥିବା ବେଳେ ଏବେ ଇଞ୍ଜିନ ଚାଲିବାକୁ ଇନ୍ଧନ ନାହିଁ। ଫଳରେ ବହୁତ ସମସ୍ୟା ଦେଖାଯାଇଛି।

ସେହିପରି ଚାଷୀମାନେ ମଧ୍ୟ ନିଜ ଓ୍ବାଟର ପମ୍ପ୍‌ ଚଲାଇବା ପାଇଁ ଡିଜେଲ ଓ ପେଟ୍ରୋଲ ନ ଥିବାରୁ ଚାଷକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଏହାକୁ ନେଇ ଅସନ୍ତୋଷ ଦେଖାଯାଇଛି। ଗୋଟିଏ ପେଟ୍ରୋଲ ଟାଙ୍କିର ମାଲିକ ସ୍ବାଧୀନ କୁମାର ସାହୁ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କର ପେଟ୍ରୋଲ ଟ୍ୟାଙ୍କର ଲୋଡ୍‌ ସରିଛି ଓ ଦାରିଙ୍ଗବାଡ଼ି ଅଭିମୁଖେ ଯାତ୍ରା କରୁଛି।

Dharitri – Odisha’s No.1 Odia Daily

Share