ଧାନଚାଷ ନଷ୍ଟ କରୁଛନ୍ତି ଲେଡାପୋକ, ଚିନ୍ତାରେ ଚାଷୀ

କୁତ୍ରା,୧୦ା୮(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଲତାଲଗା ଗ୍ରାମ ତଥା ଏହାର ଆଖପାଖ ଧାନ ଚାଷ ଜମିରେ ଗତ କିଛିଦିନ ହେଲା ଲେଡାପୋକ ଦେଖିବାକୁ ମିଳିଛି। ଏମାନେ ଧାନ ଗଛର କାଣ୍ଡ ଗୁଡିକୁ ଖାଇବା ସହ କାଟି ନଷ୍ଟ କରି ଦେଉଛନ୍ତି। ଫଳରେ ଧାନଗଛ ସବୁ ଥୁଣ୍ଟା ହୋଇଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛନ୍ତି। ଗୋଟିଏ ପଟେ ବର୍ଷାର ଅନିୟମିତତା ସହ ଯୁଝି ସଂଘର୍ଷ କରି ଚାଷ କାମ କରୁଥିବାବେଳେ ଏବେ ଲେଡା ପୋକ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଏହି ପୋକ ଦାଉରୁ କିପରି ରକ୍ଷା ପାଇ ପାରିବେ ସେଥିପାଇଁ ଚାଷୀମାନେ ଚାଷ ବିଶେଷଜ୍ଞ ଏବଂ କୃଷି ବିଭାଗ ସହ ପରାମର୍ଶ ନେଇ ନିଜ ନିଜ ଜମିରେ କୀଟନାଶକ ଔଷଧ ସିଞ୍ଚନ କରୁଛନ୍ତି। ହେଲେ ଚାଷ ଜମିରେ ପୋକ ଲାଗିବା ଏକ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ସରକାରଙ୍କ ପକ୍ଷରୁ କୃଷି ବିଭାଗ ଆବଶ୍ୟକ ଔଷଧ ଯୋଗାଇ ଦେବାକୁ ଚାଷୀଙ୍କ ପକ୍ଷରୁ ଦାବି ହେଉଛି। କିଛି ଦିନ ତଳେ ପ୍ରଥମେ ଏହି ପୋକ ଗୁଡିକ ଗିର୍ଜାପଡା ଜଙ୍ଗଲ ନିକଟରେ ଥିବା ଜମିରେ ଦେଖିବାକୁ ମିଳିଥିବା ବେଳେ ଏବେ ବିଭିନ୍ନ ଅଞ୍ଚଳରେ ବ୍ୟାପିବାକୁ ଲାଗିଛନ୍ତି।