ପିପିଲି ମେଡିକାଲରେ ଅବ୍ୟବସ୍ଥା ନେଇ ଧାରଣା

ପିପିଲି,୨୦।୧୦(ସ୍ବ.ପ୍ର.): ପିପିଲି ସରକାରୀ ମେଡିକାଲରେ ବିଭିନ୍ନ ସମସ୍ୟାକୁ ନେଇ ଲାଗିରହିଛି ଅବ୍ୟବସ୍ଥା। ଡାକ୍ତର ନିଯୁକ୍ତିଠାରୁ ଆରମ୍ଭ କରି ନିରାମୟ ସେବା, ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତ, ମେଡିକାଲ ଯନ୍ତ୍ରାଂଶ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆବଶ୍ୟକ ଥିବାବେଳେ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଛି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଶୁଣୁ ନ ଥିବାରୁ ସୋମବାର ମେଡିକାଲ ସମ୍ମୁଖରେ ବିଭିନ୍ନ ସଂଗଠନ, ସାମାଜିକ ର୍କମୀ ଓ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି। ଦିନ ତମାମ ଅନଶନରେ ବସିଥିଲେ ମଧ୍ୟ କୌଣସି ଅଧିକାରୀ ଧାରଣାସ୍ଥଳକୁ ଆସି ନ ଥିଲେ। ରାତି ୮ଟାରେ ତହସିଲଦାର ସପନ କୁମାର ନନ୍ଦ ଓ ପିପିଲି ମେଡିକାଲ ଅଫିସର ଯାମିନୀ ଭୂଷଣ ପଟ୍ଟନାୟକ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା।
ଥାଉ କି, ପିପିଲି ମେଡିକାଲ ଦୀର୍ଘଦିନ ହେବ ନାନା ସମସ୍ୟା ଦେଇ ଗତି କରୁଛି। ମେଡିକାଲରେ ଜଣେ ଡାକ୍ତର ଥିବାବେଳେ ଜରୁରିକାଳୀନ ଚିକିତ୍ସା ବ୍ୟବସ୍ଥା ନାହିଁ, ଅପରିଷ୍କାର ପରିବେଶ, ପାନୀୟ ଜଳ ବ୍ୟବସ୍ଥା ଏଭଳି ଅନେକ ସମସ୍ୟା ରହିଛି। ଏଥିପାଇଁ ସାଧାରଣରେ ରୋଗୀମାନେ ହିଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଧାର ହୋଇ ନ ଥିଲା। ଶେଷରେ ଜାତୀୟ ଦଳିତ ମାଇନରଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ସକାଳ ୮ଟାରୁ ଖବରଦାତା ରାକେଶ ରୋଶନ ମହାନ୍ତି, ସାମାଜିକ କର୍ମୀ ଅନୁପ ପରିଡ଼ା, ବିଶାଲ ବାରିକ, ପ୍ରବୀର ହାଲଦାର, ମହିଳା ବିକାଶ ମଞ୍ଚର ସଭାପତି ତିଳୋତ୍ତମା ବାରିକ, ସମ୍ପାଦିକା ପ୍ରଣତି ପ୍ରଧାନଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ମହିଳା, ପୁରୁଷମାନେ ଧାରଣା ଦେଇଥିଲେ। ଏଥିମଧ୍ୟରୁ ଅପରାହ୍ନରେ ଖବରଦାତା ରାକେଶ, ତିଳୋତ୍ତମାଙ୍କ ସମେତ ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେଠାରେ ସେମାନଙ୍କୁ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ବି ସେମାନେ ପୁଣି ଅନଶନରେ ବସିଥିଲେ। ସନ୍ଧ୍ୟାରେ ତହସିଲଦାର ନନ୍ଦ, ମେଡିକାଲ ଅଫିସର ପଟ୍ଟନାୟକ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ଜରୁରୀ ପାଇଁ ମଙ୍ଗଳପୁରରୁ ଜଣେ ଡାକ୍ତରଙ୍କୁ ଅଣାଯିବା ପାଇଁ କହିବା ସହ ଖୁବଶୀଘ୍ର ଦାବିଗୁଡ଼ିକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଥିଲେ। ଅନ୍ୟପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପାଇଁ ଘଟଣାସ୍ଥଳରେ ପିପିଲି ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଛି।