କମିଲା ମୁଣ୍ଡ ପିଛା ଆୟ

ଭୁବନେଶ୍ୱର,୨୧।୨(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟର ମୁଣ୍ଡ ପିଛା ଆୟ ହ୍ରାସ ପାଇଛି। ୨୦୧୯ -୨୦ରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୪ ହଜାର ୫୬୬ ଟଙ୍କା ଥିବାବେଳେ ୨୦୨୦-୨୧ରେ ଏହା ୧ ଲକ୍ଷ ୨ ହଜାର ୧୫୬ ଟଙ୍କାକୁ ଖସିଯାଇଛି। ଗତ ଆର୍ଥିକ ବର୍ଷ ତୁଳନାରେ ଏବର୍ଷ ମୁଣ୍ଡ ପିଛା ଆୟ ୨୪୧୦ ଟଙ୍କା ଅର୍ଥାତ୍‌ ୨.୩୦% କମିଯାଇଛି।
କୋଭିଡ୍‌-୧୯ ମହାମାରୀ ସାଙ୍ଗକୁ ବାତ୍ୟା ରାଜ୍ୟ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଇଛି। ଅର୍ଥନୀତିର ମେରୁଦଣ୍ଡ କୃଷି ସାଙ୍ଗକୁ ମାନୁଫାକ୍ଚରିଂ, ନିର୍ମାଣ, ଖଣି, ବ୍ୟବସାୟ, ହୋଟେଲ, ପରିବହନ, ଯୋଗାଯୋଗ, ରିୟଲ ଇଷ୍ଟେଟ୍‌ ଏବଂ ପର୍ଯ୍ୟଟନ ଭଳି କ୍ଷେତ୍ରକୁ ପ୍ରଚଣ୍ଡ ଆଘାତ ଲାଗିଛି। ଏଥିଯୋଗୁ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୪.୯୨ ପ୍ରତିଶତକୁ ଖସିଯିବ। ଶନିବାର ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏକଥା କହିଛନ୍ତି। ଖାଲି ସେତିକି ନୁହେଁ, କୃଷି କ୍ଷେତ୍ରକୁ ମଧ୍ୟ ଜବରଦସ୍ତ ଝଟ୍‌କା ଲାଗିବ। କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୬.୪୫ % କମିବାକୁ ଥିବାବେଳେ ଶିଳ୍ପ କ୍ଷେତ୍ର ୮.୮୩ % ଓ ସେବା କ୍ଷେତ୍ର ୩.୧୮% ହ୍ରାସ ପାଇବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ସେହିପରି ନିର୍ମାଣ ଉପକ୍ଷେତ୍ରଗୁଡ଼ିକରେ ୧୦.୭୯% ଓ ମାନୁଫାକ୍ଚରିଂ ସବ୍‌-ସେକ୍ଟରଗୁଡ଼ିକରେ ୯.୯୦% ଅଭିବୃଦ୍ଧି ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଜାତୀୟ ହାର ତୁଳନାରେ ଓଡ଼ିଶା ଭଲ ସ୍ଥିତିରେ ରହିବ। ଜାତୀୟ ଅଭିବୃଦ୍ଧି ହାର ୭.୭% ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି। କରୋନା ମହାମାରୀଜନିତ ଲକ୍‌ଡାଉନ ଯୋଗୁ ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପ ବରବାଦ ହୋଇଯାଇଛି। ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ୫୪.୫୪% ଖସିଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ୨୦୧୨-୧୩ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୭.୧% ଥିଲା। ତେବେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ଆଗକୁ ମାଡ଼ିଚାଲିବ। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ, ଶିଳ୍ପନୀତି-୨୦୧୫, ଇଜ୍‌ ଅଫ ଡୁଇଙ୍ଗ୍‌ ବିଜ୍‌ନେସ, ନୂତନ କୃଷିନୀତି-୨୦୧୯, ୫-ଟି ଏବଂ ମୋ ସରକାର ଭଳି ଅଭିନବ ପଦକ୍ଷେପ ଯୋଗୁ ଅର୍ଥିକ ସ୍ଥିତି ସୁଧୁରିବ ବୋଲି ସରକାର ଆଶା କରିଛନ୍ତି। ମାଛ, ଅଣ୍ଡା, ଦୁଗ୍ଧ ଉତ୍ପାଦନରେ ଓଡ଼ିଶା ଆଗକୁ ବଢୁଛି। ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ହ୍ରାସ ପାଉଥିବା ରିପୋର୍ଟରେ କୁହାଯାଇଛି। କୋଭିଡ୍‌ ପରିଚାଳନାରେ ରାଜ୍ୟ ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇ ମୃତ୍ୟୁହାର ହ୍ରାସ କରିବାରେ ସଫଳତା ପାଇଛନ୍ତି। କରୋନା ଯୋଗୁ ରାଜକୋଷ ଉପରେ ପ୍ରବଳ ଚାପ ପଡିଛି। ତେବେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନା ଯୋଗୁ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଥିବା ରିପୋର୍ଟରେ କୁହାଯାଇଛି।