ମୁଣ୍ଡ ପିଛା ଋଣଭାର ୧୯,୮୨୫ ଟଙ୍କା

ଭୁବନେଶ୍ୱର,୧୦ା୩(ବ୍ୟୁରୋ):ରାଜ୍ୟରେ ଋଣ ଭାର ବଢ଼ି ଚାଲିଛି। ମୁଣ୍ଡ ପିଛା ଋଣ ଭାର ୧୯,୮୨୫ ଟଙ୍କାରେ ପହଞ୍ଚିଲାଣି। ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ଋଣ ଭାର ୮୭୭୨୬.୬୧ କୋଟି ଟଙ୍କାରେ ପହଞ୍ଚଛିି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭା ବଜେଟ ଅଧିବେଶନରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟର ଋଣ ଭାର କମାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ୨୦୦୬-୦୭ରୁ ୨୦୧୩-୧୪ ଏବଂ ୨୦୨୨-୨୩ରୁ ଏ ପର୍ଯ୍ୟନ୍ତ ସରକାର ଖୋଲା ବଜାରରୁ କୌଣସି ଋଣ କରିନାହାନ୍ତି। ଉଚ୍ଚ ସୁଧ ହାର ଋଣକୁ ଆଗୁଆ ପୈଠ କରାଯାଉଛି। ଅନ୍ୟପକ୍ଷରେ ୨୦୦୫-୦୬ରୁ ୨୦୦୯-୧୦ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୩୮୧.୯୦ କୋଟି ହିସାବରେ ମୋଟ ୧୯୦୯.୫୦ କୋଟି ଟଙ୍କା ଋଣ ପରିଶୋଧରୁ ପାଇଛନ୍ତି। ସେହିପରି ତ୍ରୟୋଦଶ ଅର୍ଥ କମିଶନ ସୁପାରିସ କ୍ରମେ ରାଜ୍ୟ ସରକାରଙ୍କ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଆଇନ ୨୦୦୫ ପ୍ରଣୟନ ଓ ଆର୍ଥିକ ପରିଚାଳନା ପାଇଁ ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ବାବଦରେ ୧୩୯.୩୬ କୋଟି ଋଣ ପରିଶୋଧରୁ ପାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।