ସେ କାଳର ଜନପ୍ରତିନିଧି

ଗଣତନ୍ତ୍ର ହେଉଛି ଗଣର ଶାସନ। ସଂସଦ ହେଉ ବା ବିଧାନସଭା ହେଉ, ଏହି ଗଣ ପ୍ରତିନିଧିମାନେ ଆମ ପାଇଁ ଆଇନ ତିଆରି କରନ୍ତି। ଆଶା କରାଯାଏ, ଏମାନେ ଆଇନ ତିଆରି କଲାବେଳେ ନିଜ ସ୍ବାର୍ଥ ବିଷୟରେ ଚିନ୍ତା ନ କରି ଗଣର ସ୍ବାର୍ଥ ବିଷୟରେ ଚିନ୍ତା କରନ୍ତି। ସେଠାରେ ତାଙ୍କର ବିଚାର ବା ପ୍ରସ୍ତାବ ରାଜ୍ୟ ଓ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପ୍ରତିନିଧି୍‌ତ୍ୱ କରେ। ଏଣୁ ଦେଶର ଶାସନ କଥା ଚିନ୍ତା କଲାବେଳେ ସେମାନଙ୍କ ପାଖରୁ ଆମେ ମାନବୀୟ ସଂବେଦନା ଆଶା କରୁ। ମାତ୍ର ଆଜିକାଲି ସଂସଦ ଓ ବିଧାନସଭା ଚାଲିଥିବାବେଳେ ଯେଉଁ କୁତ୍ସିତ ଦୃଶ୍ୟ ଅଭିନୀତ ହୁଏ, ତାହା ବୁଦ୍ଧିଜୀବୀମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇପଡ଼େ। ଗୃହ ମଧ୍ୟରେ ଆଲୋଚନା ହେଲାବେଳେ ପ୍ରବଳ ହଟ୍ଟଗୋଳ, ଉଚବାଚ, ମୁଥ ମରାମରି, ମାଇକ୍‌ଫିଙ୍ଗା, ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢ଼ିବା, ଝାଞ୍ଜ ବଜାଇବା, ସ୍ଲୋଗାନ ଦେବା ଆଦି ଆଜିକାଲି ସାଧାରଣ ଘଟଣା ହୋଇଗଲାଣି। ଯେଉଁମାନେ ଏସବୁ କରନ୍ତି, ସେମାନଙ୍କ ମଧ୍ୟରେ ଅନେକ ଉଚ୍ଚଶିକ୍ଷିତ ଓ ସଂଭ୍ରାନ୍ତ ବିଧାୟକ/ସାଂସଦ ଥାଆନ୍ତି। ବେଳେବେଳେ ସଦସ୍ୟମାନଙ୍କ ମଧ୍ୟରେ ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତିଙ୍କୁ ଗୃହକୁ ମୁଲତବୀ କରିବାକୁ ପଡ଼େ। ବିଡ଼ମ୍ବନାର ବିଷୟ ହେଲା, ମାନବୀୟ ସଂବେଦନା ଦାବି କରୁଥିବା ଘଟଣା ସଂପର୍କରେ ଆଲୋଚନା ଚାଲିଥିବାବେଳେ ମଧ୍ୟ ଅନେକ ସଦସ୍ୟା ସଦସ୍ୟ ତାଙ୍କର ପାରିବାପଣ ପ୍ରତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏପରି ହଟ୍ଟଗୋଳ ସୃଷ୍ଟି କରନ୍ତି ଯେ, ସମ୍ବେଦନଶୀଳ ବିଷୟବସ୍ତୁରୁ ଧ୍ୟାନ ହଟିଯାଏ। ସେହି ପ୍ରତିବାଦରେ ନା ଥାଏ ସଂବେଦନା ନା ଉଦ୍‌ବେଗ। କେବଳ ଥାଏ ଆମେ ପ୍ରତିବାଦ କରୁଛୁ ବୋଲି ଜାହିର କରି ଅହଂର ପ୍ରଦର୍ଶନ କରିବା। ଯେଉଁ ଜନପ୍ରତିନିଧିମାନେ ଏଭଳି ବ୍ୟବହାର କରନ୍ତି, ସେମାନଙ୍କୁ ଅନ୍ତତଃ ଅତୀତର ଦୁଇଜଣ ଜନପ୍ରତିନିଧିଙ୍କ ସଂପର୍କରେ ସ୍ମରଣ କରାଇ ଦିଆଯାଇପାରେ।
୧୯୫୨ ମସିହା କଥା। ଆଇନ୍‌ଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ୱର କେତେକ ତ୍ରୁଟି ପ୍ରତି ଦୃଷ୍ଟି ଆକର୍ଷଣ କରି ବିଖ୍ୟାତ ଗଣିତଜ୍ଞ ସତ୍ୟେନ ବୋଷ୍‌ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ରାଜ୍ୟ ସଭା ସଦସ୍ୟ ଭାବରେ ସଂସଦରେ ଯୋଗ ଦେଇଥା’ନ୍ତି। ସେତେବେଳେ ସିମ୍‌ଲାରେ ଆନ୍ଦୋଳନକାରୀ ରେଳ ଶ୍ରମିକ ଓ ପୋଲିସ ମଧ୍ୟରେ ସଂଘର୍ଷ ହେବାରୁ ପୋଲିସ ଗୁଳି ଚଳାଇଥିଲା ଓ ସେଥିରେ ଆଠଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେଥିପାଇଁ ରାଜ୍ୟ ସଭାରେ ମୁଲତବୀ ପ୍ରସ୍ତାବ ଉପରେ ବିତର୍କ ଚାଲିଥିଲା। ଅଧ୍ୟକ୍ଷ ଭାବରେ କାର୍ଯ୍ୟ ପରିଚାଳନା କରୁଥା’ନ୍ତି ଡ. ରାଧାକ୍ରିଷ୍ଣନ୍‌। ହଠାତ୍‌ ସମସ୍ତଙ୍କ ଦୃଷ୍ଟି ପଡ଼ିଲା ସବା ପଛ ବେଞ୍ଚରେ ବସିଥିବା ପ୍ରଫେସର ସତ୍ୟେନ୍‌ ବୋଷ୍‌ଙ୍କ ଉପରେ। ସ୍ବଭାବତଃ ସେ ଅଳ୍ପଭାଷୀ, ମାତ୍ର ଖୁବ୍‌ ମନନଶୀଳ ଓ ସମ୍ବେଦନଶୀଳ। ସେ ପଛସିଟ୍‌ରୁ ହଠାତ୍‌ କାନ୍ଦି କାନ୍ଦି ବଡ଼ ପାଟିରେ କହିବା ଆରମ୍ଭ କଲେ, ”ମଣିଷର ସବୁ ଜ୍ଞାନବିଜ୍ଞାନ ଯଦି ଗୋଟିଏ ଜୀବନ ସୃଷ୍ଟି କରି ନ ପାରେ, ତାହେଲେ ସେ ଗୁଳିଚଳାଇ ମଣିଷର ଜୀବନ ନାଶ କରିବ କେଉଁ ଅଧିକାରରେ?“ କାନ୍ଦି କାନ୍ଦି ବାରମ୍ବାର ସେ ଏହି କଥା କହି ସିଧା ଅଧ୍ୟକ୍ଷଙ୍କୁ ସମ୍ବୋଧନ କରି ସେହି ପ୍ରଶ୍ନର ପୁନରାବୃତ୍ତି କଲେ। ପ୍ରଫେସର ସତ୍ୟେନ୍‌ ବୋଷ୍‌ଙ୍କ ଏହି କଥା ପଦକରେ ବିତର୍କ ବନ୍ଦ ହୋଇଗଲା। ଡ. ରାଧାକ୍ରିଷ୍ଣନ୍‌ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଓ କହିଲେ, ”ଗୁଳିକାଣ୍ଡ ସମ୍ପର୍କରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି ଉଠିଛି। ସରକାର ଏ ସମ୍ପର୍କରେ ଯଥାବିଧି ତଦନ୍ତ କରାଇବେ। ଆପଣଙ୍କ ଯଦି କିଛି କହିବାର ଥାଏ, ତାହେଲେ ନିଜ ସିଟ୍‌କୁ ଯାଇ କହୁନ୍ତୁ। ମୁଁ ଅନୁମତି ଦେଉଛି।“ ମାତ୍ର ପ୍ରଫେସର ବୋଷ୍‌ଙ୍କ କୋହ ବୃଦ୍ଧି ପାଉଥିଲା ଓ ତାଙ୍କର ସେହି ଜିଜ୍ଞାସାର ବିରତି ହୋଇ ନ ଥିଲା। ସେହିଭଳି କାନ୍ଦି କାନ୍ଦି ମଣିଷ ମଣିଷକୁ ମାରିବାର କି ଅଧିକାର ଅଛି ବୋଲି ପଚାରି ପଚାରି ସଂସଦ ଗୃହରୁ ସେ ବାହାରକୁ ଚାଲିଆସିଲେ। ସେଦିନ ପ୍ରଫେସର ବୋଷ୍‌ଙ୍କଠାରେ ମାନବୀୟ ସମ୍ବେଦନାର ଯେଉଁ ପରାକାଷ୍ଠା ପ୍ରକାଶ ପାଇଥିଲା, ତାହା ଆଜି କେବଳ ସ୍ମୃତିର ବିଷୟ।
ଗୋପବନ୍ଧୁ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାରେ ପ୍ରତିନିଧି ଥାଆନ୍ତି। ୧୯୨୦ ମସିହା କଥା। ସେତେବେଳେ ଚାରିଆଡ଼େ ବନ୍ୟା। ଅର୍ଦ୍ଧରାତ୍ର ସମୟ। ଭୀଷଣ ବର୍ଷା ହେଉଥାଏ। ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ହଠାତ୍‌ ବିକଳ କ୍ରନ୍ଦନ ଶୁଣିଲେ। ଆଲୁଅ ଜାଳି ଦେଖିଲେ ଗୋପବନ୍ଧୁ ଛୋଟ ଶିଶୁଙ୍କ ଭଳି ଭୋ ଭୋ କାନ୍ଦୁଛନ୍ତି। ପଣ୍ଡିତ ଗୋଦାବରୀଶ ପଚାରିଲେ, ‘କଣ ହେଲା?’ ଗୋପବନ୍ଧୁ କାନ୍ଦି କାନ୍ଦି କହିଲେ, ”ଆଜି ବନ୍ୟାଞ୍ଚଳକୁ ଯାଇଥିଲି। ଲୋକଙ୍କ ଦୁଃଖ କହିଲେ ନ ସରେ। କାହାରି ଘରେ ଚାଳ ନାହିଁ। ବର୍ଷାରେ ସେମାନେ ରହିବେ କିପରି?“ ସେହି ବର୍ଷ ବ୍ୟବସ୍ଥାପକ ସଭାରେ ଓଡ଼ିଶାର ବନ୍ୟା ଓ ମରୁଡ଼ିର ଚିତ୍ରକୁ ସେ ଯେଭଳି ଭାବବିହ୍ବଳ ଭାବରେ ଉପସ୍ଥାପନ କରିଥିଲେ, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ସେ କହିଥିଲେ, ”ଏ ଦେଶରେ ଯଦି କୌଣସି ଲୋକ ଉପବାସରେ ମୃତ୍ୟୁବରଣ କରେ, ତେବେ ତାର ନିଃଶ୍ୱାସ ସରକାରଙ୍କ ଉପରେ ପଡ଼ିବ। ସରକାର ଦୁଃଖୀ ଦରିଦ୍ର ଜନତାର ମୁହଁରେ ଅନ୍ନ ଦିଅନ୍ତୁ।“ ଏତିକି କହୁ କହୁ ଗୋପବନ୍ଧୁ ବ୍ୟବସ୍ଥାପକ ସଭାରେ ଭୋ ଭୋ ହୋଇ କାନ୍ଦି ଉଠିଲେ। ସଭାଟି ସ୍ତବ୍ଧ ହୋଇଗଲା। ଲାଟ୍‌ ସାହେବଙ୍କ ହୃଦୟ ତରଳିଗଲା ଓ ସେ ନିଜେ ବନ୍ୟାଞ୍ଚଳକୁ ଆସି ଲୋକଙ୍କ ଅବସ୍ଥା ସ୍ବଚକ୍ଷୁରେ ଦେଖି ସାହାଯ୍ୟ ଯୋଗାଇ ଦେଇଥିଲେ।
ସେହି ସମୟରେ ଆମ ଜନପ୍ରତିନିଧିମାନଙ୍କ ଆଖିରୁ ଯେଭଳି ଲୁହ ବହୁଥିଲା, ଆଜି କାହିଁ ସେ ଲୁହ? ସଂସଦରେ ବା କ୍ଷେତ୍ର ପରିଦର୍ଶନ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କଲାବେଳେ ନ ଥାଏ କୌଣସି ସମ୍ବେଦନା, ବରଂ ଥାଏ ନିଜର ଫଟୋ ଉଠାଇ ତାକୁ ପ୍ରଚାରିତ ଓ ପ୍ରସାରିତ କରିବାର ବିକଳ ପ୍ରଚେଷ୍ଟା। ଏହି ପ୍ରସଙ୍ଗରେ ସ୍ମରଣକୁ ଆସେ ଗୋପବନ୍ଧୁଙ୍କ ଜୀବନର ଆଉ ଏକ ଘଟଣା। ୧୯୨୭ ମସିହା କଥା। ଲାଲ୍‌ ଲଜ୍‌ପତରାୟ ‘ଅନ୍‌ହେପି ଇଣ୍ଡିଆ’ ଶୀର୍ଷକରେ ଏକ ବହି ଲେଖୁଥାନ୍ତି। ସେଥିରେ ସେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ସମୟରେ ସେବା କରୁଥିବା ଗୋପବନ୍ଧୁଙ୍କ ସମ୍ପର୍କରେ କିଛି ଲେଖିବା ପାଇଁ ତାଙ୍କୁ ଏକ ଫଟୋ ଦେବାପାଇଁ ଅନୁରୋଧ କଲେ। ଗୋପବନ୍ଧୁ ଫଟୋ ପଠାଇଲେ ନାହିଁ ଓ ଲେଖିଲେ ”ମୁଁ ଦେଶର ଜଣାଶୁଣା ହୋଇ ଖ୍ୟାତି ପାଇବା ପାଇଁ କେବେହେଲେ ଇଚ୍ଛା କରି ନାହିଁ। ଲୋକେ ଜାଣିବାରେ କ’ଣ ମିଳିବ?“
ଏହି ପ୍ରସଙ୍ଗରେ ବିଶିଷ୍ଟ ଲେଖକ ମନୋଜ ଦାସ ସମ୍ରାଟ୍‌ ନିରୋଙ୍କ ସମ୍ପର୍କିତ ଏକ ଜନଶ୍ରୁତି ମନେପକାଇ ଦେଇଛନ୍ତି। ଦିନେ ନିରୋ ଲୋକଙ୍କ ଦୁର୍ଦ୍ଦଶା କଥା ଭାବି କାନ୍ଦିବାର ପ୍ରେରଣା ଅନୁଭବ କରିଥିଲେ। କାନ୍ଦ କାନ୍ଦ ଅବସ୍ଥାରେ ଜଣେ କର୍ମଚାରୀଙ୍କୁ ସେ କହିଲେ, ”ଛିଡ଼ା ହୋଇ ଦେଖୁଛ କ’ଣ? ମୋ ଲୁହ ତଳେ ପଡ଼ି ନଷ୍ଟ ହେବା ପୂର୍ବରୁ ଧରିରଖ।“ ସେ ଦୌଡ଼ିଯାଇ ଏକ ସୁନାର ପାତ୍ର ନେଇ ଆସିଲା। ଲେଖକ କହିଛନ୍ତି, ”ସେ ଯୁଗରେ ଫଟୋଗ୍ରାଫର ଥିଲେ ନିରୋ ଅବଶ୍ୟ ସେମାନଙ୍କୁ କ୍ୟାମେରା ସଜଡ଼ା ସଜଡ଼ି କରିବାର ସୁଯୋଗ ଦେଇ ଅଶ୍ରୁପାତ କରିଥାନ୍ତେ। ସୁନାପାତ୍ର ଆସିବାବେଳକୁ ଲୁହ ତଥାପି ଉଦ୍‌ଗତ ଅବସ୍ଥାରେ ଥିଲା କି ଶୁଖିଯାଇଥିଲା ଜଣାନାହିଁ। ନିରୋଙ୍କ ସମ୍ପର୍କିତ ଏହି କାହାଣୀ ଅତିରଞ୍ଜିତ ହୋଇପାରେ। ମାତ୍ର ଆଜିର ଜନପ୍ରତିନିଧିମାନଙ୍କ ଆଚରଣକୁ ଲକ୍ଷ୍ୟ କଲେ ସେମାନେ ଯେ ନିରୋଙ୍କ ପର୍ଯ୍ୟାୟରେ ପଡ଼ିବେ, ଏକଥା କହିଲେ ବୋଧହୁଏ ଅତିରଞ୍ଜନ ହେବ ନାହିଁ।“ ସମ୍ପ୍ରତି ପ୍ରଫେସର ସତ୍ୟେନ ବୋଷ ଓ ଗୋପବନ୍ଧୁଙ୍କ ଭଳି ଜନପ୍ରତିନିଧିମାନଙ୍କୁ ଖୋଜିଲେ ନିରାଶ ହେବାକୁ ପଡ଼ିବ, ଏଥିରେ ସନ୍ଦେହ ନାହିଁ।

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri