ଲୋକଙ୍କ ଭରସା ବାଉଁଶପୋଲ

ବ୍ରହ୍ମବରଦା,୬ା୨(ଡି.ଏନ.ଏ.):ଯାଜପୁର ବ୍ଲକ୍‌ ଅଧୀନ ଝାଲପଡ଼ା, ରୁଦ୍ରପୁର ପଞ୍ଚାୟତବାସୀଙ୍କ ଦୀର୍ଘ ଦିନ ହେବ ଗମନାରେ ସମସ୍ୟା ଲାଗି ରହିଛି। ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ ବନ୍ଧର ସୁଦୃଢ଼ୀକରଣ ପାଇଁ ସରକାର ବିପୁଳ ଟଙ୍କା ବ୍ୟୟ କରୁଥିବାସତ୍ତ୍ୱେ ବନ୍ଧ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ବିଫଳ ହେଇଛି। ବନ୍ଧ ମରାମତି କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ ଆନ୍ତରିକତା ଅଭାବରୁ ନଦୀ ବନ୍ଧରେ ଯାନବାହାନ ଚଳପ୍ରଚଳ କଷ୍ଟକର ହୋଇପଡୁଛି। ଅନ୍ୟପକ୍ଷରେ ୨୦୧୫ରୁ ବ୍ରାହ୍ମଣୀ ନଦୀ ଉପରେ ଝାଲପଡ଼ାରୁ ବ୍ରହ୍ମବରଦାକୁ ସଂଯୋଗ ପାଇଁ ଆରମ୍ଭ ହୋଇଥିବା ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସରି ପାରୁନାହିଁ। କାକୁଡ଼ିକୁଦ, ଝାଲପଡ଼ା, ବାଗସାହି, ସିଠାଲୋଇ ଓ ରୁଦ୍ରପୁରର ଅଞ୍ଚଳର ଲୋକେ ଓ ଛାତ୍ରୀଛାତ୍ର ବ୍ରହ୍ମବରଦାସ୍ଥିତ ହାଟ, ବଜାର, ବ୍ୟାଙ୍କ ଏବଂ କଲେଜକୁ ପ୍ରତିଦିନ ଯିବା ଆସିବା କରିଥାନ୍ତି। ତେଣୁ ଯାତାୟାତ ପାଇଁ ସେମାନେ ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ମାତ ଅସ୍ଥାୟୀ ବାଉଁଶପୋଲ ଉପରେ ନିର୍ଭର କରୁଛନ୍ତି। ବେଳେବେଳେ ବାଉଁଶ ପୋଲ ଉପରେ ଯାତାୟାତ ସମୟରେ ପୋଲ ଭାଙ୍ଗିଯିବାରୁ ଲୋକେ ପାଣିରେ ପଡ଼ିଯିବାର ମଧ୍ୟ ନଜର ରହିଛି।
ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ଲୋକଙ୍କ ଯାତାୟାତ ପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ଏଥିପ୍ରତି ଅବହେଳା କରିଛନ୍ତି। ଅନ୍ୟପକ୍ଷରେ ୭ ବର୍ଷ ହେବ ଆରମ୍ଭ ହୋଇଥିବା ବିଜୁ ସେତୁ କାର୍ଯ୍ୟ କେଉଁଦିନ ସମାପ୍ତ ହେବ ଓ ସୁରୁଖୁରୁରେ ଲୋକେ ଯାତାୟାତ କରିବେ ତାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବିଜୁ ସେତୁ କାର୍ଯ୍ୟ ନିର୍ମାଣ ନ ସରିବା ପର୍ଯ୍ୟନ୍ତ ଉକ୍ତ ନଦୀରେ ତୁରନ୍ତ ଏକ ଅସ୍ଥାୟୀ ପୋଲ ନିର୍ମାଣ ପାଇଁ ଠିକା ସଂସ୍ଥା ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସମ୍ପୃକ୍ତ ଠିକାସଂସ୍ଥା ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।