ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ ବୁଝନ୍ତି ନାହିଁ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଶନିବାର ନ୍ୟୁୟର୍କର ମାଡିଶନ୍‌ ସ୍କୋୟାର ଗାର୍ଡେନ୍‌ରେ ଆୟୋଜିତ ‘ଏକ ବିଶ୍ୱ, ଏକ ମାନବତା’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି।

୨୦୧୮ରେ ନୂଆଦିଲ୍ଲୀରେ ଭାଗବତ ଉଦ୍‌ବୋଧନ ଦେବାବେଳେ ଅନୁରୂପ ମତ ରଖିଥିଲେ। ମୁସଲମାନଙ୍କୁ ବାଦ୍‌ ଦେଇ ହିନ୍ଦୁ ରାଷ୍ଟ୍ର ହୋଇ ନ ପାରେ ଏବଂ ହିନ୍ଦୁତ୍ୱ ବିଶ୍ୱ ଭ୍ରାତୃତ୍ୱକୁ ଆପଣାଇ ନେଇଛି ବୋଲି ଭାଗବତ ସେତେବେଳେ କହିଥିଲେ। ଏବେ ନ୍ୟୁୟର୍କରେ ସେ ଉକ୍ତ ବାର୍ତ୍ତାକୁ ଦୋହରାଇଛନ୍ତି। ବିଭିନ୍ନ ଧର୍ମ ହେଉଛି ଏକ ଭଗବାନଙ୍କ ନିକଟକୁ ଯିବାର ଭିନ୍ନ ଭିନ୍ନ ପଥ। ଜଣେ ପ୍ରକୃତ ହିନ୍ଦୁ ମୁସଲମାନମାନଙ୍କୁ ବାଦ୍‌ ଦେବାକୁ ଚାହିଁବ ନାହିଁ। ସତ୍ୟ ଗୋଟିଏ ଏବଂ ମାନବତା ଏହାର ଏକ ଉତ୍ପାଦ। ବିଭିନ୍ନତା ସତ୍ତ୍ୱେ ଲୋକେ ଯେପରି ଏକାଠି ରହିପାରିବେ, ସେ ନେଇ ବାର୍ତ୍ତା ପ୍ରଚାର କରିବାକୁ ଆର୍‌ଏସ୍‌ଏସ୍‌ ଏହାର କର୍ତ୍ତବ୍ୟ ଭାବେ ବିଚାର କରେ। ବିବିଧତା ମଧ୍ୟରେ ଏକତା ଭାରତର ପରମ୍ପରା। ବିଭିନ୍ନ ଧର୍ମ, ଜୀବନଶୈଳୀକୁ ସମ୍ମାନ ଦେବାରେ ଭାରତର ଶକ୍ତି ନିହିତ। ବିବିଧତାର ସୁରକ୍ଷା ସହ ଏହାକୁ ସମ୍ମାନ ମିଳିବା ଜରୁରୀ। ବିବିଧତା ମଧ୍ୟରେ ଏକତା ପ୍ରକୃତିର ବାସ୍ତବତା ଓ ସତ୍ୟ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ କହିଛନ୍ତି। ସୂଚନାଯୋଗ୍ୟ, ଭାଗବତଙ୍କ ଗସ୍ତକୁ ନେଇ ନ୍ୟୁୟର୍କ ମେୟର ଜୋହରାନ ମାମଦାନୀ ଆପତ୍ତି ଉଠାଇ ଆର୍‌ଏସ୍‌ଏସ୍‌ର ବିଚାରଧାରା ଧର୍ମନିରପେକ୍ଷ ବିରୋଧୀ ବୋଲି କହିଥିଲେ, ଯାହାକୁ ନେଇ ବିବାଦୀୟ ସ୍ଥିତି ଉପୁଜିଥିଲା।

Share