ହୋମ୍‌ ଆଇସୋଲେଶନରେ ରହିପାରିବେ ନାହିଁ ଦୂରାରୋଗ୍ୟରେ ପୀଡ଼ିତ ଆକ୍ରାନ୍ତ: ଶିଶୁମାନେ କୋଭିଡ୍‌ ହସ୍ପିଟାଲରେ ରୁହନ୍ତୁ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଲଗାତର ତିନି ଦିନରୁ ଅଧିକ ହେବ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଟପୁଥିବା ଦେଖାଯାଉଛି। ଏପରିସ୍ଥଳେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା ଅଧିକାଂଶ ରୋଗୀ ଚିକିତ୍ସିତ ହେଉଛନ୍ତି। ଏନେଇ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଧିକ ସୂଚନା ଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ଦୂରାରୋଗ୍ୟରେ ପୀଡ଼ିତ ଆକ୍ରାନ୍ତମାନେ ହୋମ୍‌ ଆଇସୋଲେଶନରେ ରହିପାରିବେନାହିଁ। ଗର୍ଭବତୀ, ଶିଶୁମାନେ ଆକ୍ରାନ୍ତ ହେଲେ ହୋମ୍‌ ଆଇସୋଲେଶନରେ ରୁହନ୍ତୁ ନାହିଁ। ସେମାନେ ହୋମ ଆଇସୋଲେସନରେ ନ ରହି କୋଭିଡ ହସ୍ପିଟାଲରେ ରହିବେ। ହୋମ ଆଇସୋଲେଶନରେ ରହୁଥିବା ଆକ୍ରାନ୍ତ ମାସ୍କ , ଗ୍ଲୋବ୍ସ ପିନ୍ଧିବା ଜରୁରୀ। ତାଙ୍କୁ ଯତ୍ନ ନେବାକୁ ଥିବା ଲୋକେ କମ୍‌ ସମୟ ତାଙ୍କ ସଂସ୍ପର୍ଶରେ ଆସିବା ଉଚିତ। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯେଭଳି ଶିଶୁ, ବୟସ୍କ ନ ଆସିବେ, ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ। ଅନ୍ୟ ରୋଗ ପାଇଁ ଔଷଧ ଖାଉଥିବା ରୋଗୀ ପୂର୍ବ ଔଷଧ ଖାଇପାରିବେ। ନିୟମିତ ଔଷଧ ଖାଇ ୧୭ ଦିନ ଆଇସୋଲେଶନରେ ରହିଲେ ସୁସ୍ଥ ହୋଇଯିବେ ବୋଲି ସେ କହିଛନ୍ତି।