ଭଦ୍ରକ, ୨୩।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ବଜାରରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଶାଖା ସ୍ଥାନାନ୍ତରକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି l ଶହ ଶହ ସଂଖ୍ୟାରେ ବ୍ୟାଙ୍କ ଉପଭୋକ୍ତା ବୁଧବାର ପୂର୍ବାହ୍ନ ୮ଟାରୁ ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି। ବରପଦା ଶାଖା ଚାଲୁଥିବା ଭଡା ଘର ଡ୍ୟାମେଜ ହୋଇଯାଇ ଥିବାରୁ ଗତ କିଛି ଦିନ ଧରି ଉକ୍ତ ଘର ବଦଳାଇବାକୁ ଘର ମାଲିକ କହିଥିଲେ l କିନ୍ତୁ ବ୍ୟାଙ୍କ କତୃପକ୍ଷ ଘର ବଦଳାଇ ବରପଦାରେ ଅନ୍ୟ ଭଡା ଘର ନ ନେଇ ୧୦ କିମି ଦୂର ବନ୍ତ ବଜାରକୁ ସ୍ଥାନାନ୍ତର କରି ନେଇଛନ୍ତି l
ଫଳରେ ଏଠାରେ ଆଖପାଖ ୧୦ ଖଣ୍ଡ ଗ୍ରାମର ଲୋକ ଯେଉଁମାନେ ଏହି ଶାଖାରେ ଖାତା ଖୋଲିଥିଲେ। ସେମାନଙ୍କୁ ଏବେ ୧୦ କିମି ଦୂର ବନ୍ତ ଯିବାକୁ ଖର୍ଚ୍ଚାନ୍ତ ହେବାକୁ ପଡିବ। ଏହାର ପ୍ରତିବାଦ କରି ଲୋକେ ରାସ୍ତାରୋକୋ କରିଛନ୍ତି l ବାରପଦାରେ ଅନ୍ୟ ଏକ ଘରେ ଶାଖା ସ୍ଥାପନ କରିବାକୁ ଦାବି କରିଛନ୍ତି l ଅପରପକ୍ଷେ ରାସ୍ତା ଅବରୋଧ ହୋଇଥିବାରୁ ଉଭୟ ପାର୍ଶରେ ବହୁ ସଂଖ୍ୟାରେ ଗାଡି ଅଟକିଛି l ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ମୁତୟନ ରହିଛି l


