ତଳ ଦେଶର ଲୋକ

ଦ୍ୱିତୀ ଚନ୍ଦ୍ର ସାହୁ

ପାରମ୍ପରିକ ବାଜା ବାଜୁଥିଲା। ଢାମ୍ପ, ମହୁରୀ ଓ ତୁଡୁମର ନାଦରେ ଗଗନ ପବନ କମ୍ପି ଉଠୁଥିଲା। ଗୁରୁମାଇ ସବୁ ଧଳାଲୁଗା ପିନ୍ଧି ମନ୍ତ୍ର ପଢ଼ୁଥିଲେ। ଅଲିଖିତ ଧାରାରେ ନାଚୁଥିଲେ ସେମାନେ। ବାକି ଗଁା ଲୋକ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନିଜ ଇଚ୍ଛାରେ ନାଚୁଥିଲେ। ଗଁାରେ ଏକପ୍ରକାର ଉତ୍ସବର ପରିବେଶ। ସମସ୍ତେ ଉନ୍ମାଦ ଓ ଅତିଶୟ ଉତ୍ସାହିତ। ପୁରୁଷ ଦେବତା ସଦରଘର କାନ୍ଥରେ କୁମାରୀ ଝିଅ ସବୁ ପାରମ୍ପରିକ ଡଙ୍ଗରିଆ ଚିତା କାଟୁଥିଲେ। ସଜଉଥିଲେ ଦେବତାଙ୍କ ଘର। କୁଟେଇବାଲି ଦେବୀ ନିକଟରେ ଗୁରୁମାଇଙ୍କ ଗହଳି। ମନ୍ତ୍ର ସହ ବଳିପଡ଼ୁଛି ପଶୁପକ୍ଷୀ। ଏମିତି ଏକ ଅଦ୍ଭୁତ ପରିବେଶ ଡଙ୍ଗରିଆ ଗାଁରେ। ଚାଲିଛି ମେରିଆ ପରବ। ହଠାତ୍‌ ଏକ ଦଉଡ଼ିଆ ଖଟ ଆସିଲା। ବୟସ୍କ ଡଙ୍ଗରିଆ ଜଣକ ଆସି କହିଲେ- ମାହାପ୍ରୁ! ଖଟରେ ବସ! ସ୍ବାଭାବିକ ଭାବେ ବସିଗଲି। ଭାବିଲି ବସିବାକୁ ଏମିତି ସଜବାଜ। ପାଖରେ ଥିବା କିଛି ଡଙ୍ଗରିଆ ଯୁବକ ଦଉଡ଼ିଆ ଖଟକୁ ଧରିଲେ। ଖୁରାଗୁଡ଼ିକୁ ଭିଡ଼ି ଧରି ଶୂନ୍ୟକୁ ଟେକିଲେ। କିଛି ପଚାରିବା ଆଗରୁ ଝୁଲେଇ ଝୁଲେଇ ଗଁା ଦେବତା ସଦର ଘର ଚାରିପଟେ ବୁଲେଇବାକୁ ଲାଗିଲେ। ଆଗରେ ଆଉ କିଛି ଯୁବକ କିର୍ଲି ମାରି ଘୂରୁଥିଲେ। ଉପରେ ବସି ଗଁାକୁ ଦେଖିଲି। ଖଟ ସହ ବୁଲୁଥିଲା ଗାଁ, ଘର, ଡଙ୍ଗର, ଝୁଲା ଝରଣା। ତିନିଥର ବୁଲେଇଲା ପରେ ତଳେ ଥୋଇଦେଲେ। କିଛି ବି ଜାଣିପାରୁ ନ ଥିଲି। ପୁଣି ସେଇ ବୟସ୍କ ଡଙ୍ଗରିଆ ଆସି କହିଲେ- ଡରିଗଲୁ କି ମାହାପ୍ରୁ! ଇମିତି କା ଆମ ଦେଶରେ ଚାଲିଛି। ତୁଇ ତଳ ଦେଶର ଲୁକ। ଆମର କୁଣିଆ। ତୋତେ ସମ୍ମାନ ନ ଦେଲେ ଆମ ଗାଁକୁ ନିନ୍ଦା। ଆଉ ଜଣେ କୁଣିଆକୁ ଏମିତି ସମ୍ମାନ ଦେବାକୁ ଚାଲିଗଲେ। ତା’ପରେ ଚକିତ ହୋଇଗଲି।
ଡଙ୍ଗରିଆଙ୍କ ହିସାବ ଅଲଗା। ନିୟମଗିରି ପାହାଡ଼ ତଳେ ରହୁଥିବା ଅଞ୍ଚଳ ତଳ ଦେଶ। ପାହାଡ଼ ଉପରେ ତାଙ୍କ ରାଇଜ। ସେଠି ଯିଏ ରହନ୍ତି ତାଙ୍କ ନିଜର ଲୋକ ବୋଲି ଭାବନ୍ତି। ବାକି ସମସ୍ତେ ତଳ ଦେଶର ଲୋକ। ସେମାନଙ୍କ ପାଇଁ ଅତିଥି। ନିୟମଗିରିର ଉପତ୍ାଦିତ ଫସଲକୁ ତଳ ଦେଶର ଲୋକଙ୍କ ନଜର। ଖାଲି ଫସଲ ନୁହେଁ, ଡଙ୍ଗରିଆଙ୍କ ପ୍ରତି ଭିନ୍ନ ଦୃଷ୍ଟିଭଙ୍ଗୀ। ଅଶିକ୍ଷିତ ଓ ଆଦିମର ଆଖ୍ୟା ଦେଇ ଆମ ନିକିତିରେ ତଉଲୁଥାଉ। ସେଥିପାଇଁ ଡଙ୍ଗରିଆ ଯୁବତୀ ମୁଣ୍ଡରେ ବୋହି ଆଣୁଥିବା ଫସଲକୁ ତା’ ଇଚ୍ଛା ବିରୋଧରେ ଟାଣିନିଏ ବେପାରୀ। ଜୋର କରି କମ୍‌ ପଇସାଦିଏ। ସେତିକି ନ ହେଲେ ରାସ୍ତା କଡ଼ରେ ପସରା ଧରି ଗରାଖ ଅପେକ୍ଷାରେ ଥିବା ଡଙ୍ଗରିଆ ଯୁବତୀ ସାମ୍ନା କରେ ତଳ ଦେଶର ଲୋକଙ୍କୁ। ମୂଲାମୂଲି କରି ପସନ୍ଦ ହେଲେ କିଣେ ଗରାଖ। ଅଧିକରୁ ଅଧିକ ଶସ୍ତାରେ ଯେମିତି ଜିନିଷ ମିଳିବ ସେଇ ମାନସିକତାରେ ତଳ ଦେଶର ଲୋକ। ଡଙ୍ଗରିଆ କ’ଣ ପାଏ, କ’ଣ ହଜାଏ ହିସାବ କରେନି। ତାକୁ ଲୋଡ଼ା ସଦ୍ୟ ପଇସା। ସେ ଯେମିତି ହେଉ ବିକିବ ଜିନିଷ। ବିକିଲେ ତା’ ଦେଶକୁ ନେବ ତେଲ ଲୁଣ ଶୁଖୁଆ। ଆଉ ମଦ ପିଇବ। ସେଥିପାଇଁ ଉଦାର ହୃଦୟରେ ଦେଇଦିଏ ତା’ ଜିନିଷ କମ ମୂଲ୍ୟରେ।
ବଦଳିଛି ତଳ ଦେଶ। ବଦଳିଛନ୍ତି ତଳ ଦେଶର ଲୋକ। ଆଗ ପରି ଗାଁରେ ଆତିଥେୟତା ନାହିଁ। ଦିନ ଥିଲା ଗଁାକୁ ଯିଏ ଆସୁଥିଲା ସେ ଗାଁର ଅତିଥି। ପରିଚୟ ଓ ସମ୍ପର୍କ ନ ଥିଲେ ବି ସମସ୍ୟା ନାହିଁ। ଖାଇବା ବେଳରେ ପହଁଚିଲେ ଅତିଥି ଖାଲି ପେଟରେ ଫେରିବନି କେବେ। ମଠ ମନ୍ଦିରରେ ଅଭ୍ୟାଗତ ଖଞ୍ଜା ହୋଇଥିବ ବାହାର ଆଗନ୍ତୁକଙ୍କ ପାଇଁ। କିଛି ନ ହେଲେ ବି ଗଁା ଭାଗବତ ଟୁଙ୍ଗିରେ ରହିବା ଓ ଖାଇବା ଲାଗି ବ୍ୟବସ୍ଥା ହେବ ତୁରନ୍ତ। ଜଣଙ୍କର ସମ୍ପର୍କୀୟ ଗାଁର ସମସ୍ତଙ୍କର ସମ୍ପର୍କୀୟ। ଦେଖୁ ଦେଖୁ ଖୋଲିଯାଏ ଆତ୍ମୀୟତାର ପସରା। କୁଶଳ ଜିଜ୍ଞାସା। ଏବେ ଗାଁର ପରିବେଶ ଉନ୍ମୁକ୍ତ। ସହର ସହର ବାସୁଛି ଗାଁ। ଘର-ଘର ଭିତରେ ଅପଡ଼। ସାହି-ସାହି ଭିତରେ ସଂଘର୍ଷ। ସବୁଠି ରାଜନୀତି। ଭାବର ଅଭାବ। ଈର୍ଷା ଓ ପରଶ୍ରୀକାତରତାରେ ଗିଳି ହୋଇପଡିଛି ଗାଁ। ସମ୍ପର୍କୀୟଙ୍କ ଭିତରେ କନ୍ଦଳ। ମନାନ୍ତର ଓ ମତାନ୍ତର। ପରପିଢ଼ି ଭିତରେ ଉତ୍ତମ ସମ୍ପର୍କର ଅଭାବ। ମାରପେଞ୍ଚ ଭିତରେ ଗାଁ ବୁକେଇ ପଡିଛି। ବଦଳି ଚାଲିଛି ଲୋକଙ୍କ ମାନସିକତା। ପରର ସୁବିଧା ଚୁଲିକି ଯାଉ। ନିଜ ଘର ପରିବାର ଭଲରେ ଥାଉ। ଅର୍ଥ ସର୍ବସ୍ବ ଦୁନିଆ ଭିତରେ ସ୍ନେହ, ମମତା, ଆତ୍ମୀୟତା ସର୍ବୋପରି ସମ୍ପର୍କ ପାଣିଚିଆ। ଡଙ୍ଗରିଆ ଅଞ୍ଚଳର ବି ପରିବେଶ ବଦଳିଛି। ରାସ୍ତା ଖୋଲିଛି। ତଳଦେଶକୁ ବାଟ ଫିଟିଛି। ଡଙ୍ଗରିଆଙ୍କ ଗାଁ ପରିବେଶ ଆଗ ପରି ନାହିଁ। ରୁକ୍ଷ ହୋଇପଡିଛି ଡଙ୍ଗର ପାହାଡ଼। ଗଁାରେ ଆଧୁନିକତାର ସ୍ପର୍ଶ। ଶିକ୍ଷିତ ହେବାରେ ଲାଗିଛି ଡଙ୍ଗରିଆ। ବଦଳିଛି ବଞ୍ଚତ୍ବା ତରିକା। ତଥାପି ବଦଳିନି ନିୟମଗିରିର ନିୟମ। ଏଠି ନିୟମରାଜା ହିଁ ସର୍ବେସର୍ବା। ନିୟମରାଜାର ସନ୍ତାନ ହେଉଛନ୍ତି ଡଙ୍ଗରିଆ। ତା’ରି ଅଦୃଶ୍ୟ ଆଦେଶରେ ଚାଲେ ନିୟମଗିରିର ରାଇଜ। ଡଙ୍ଗରିଆ ଡରେ ନିୟମରାଜାକୁ। ଭୟ ଓ ଭକ୍ତି କରେ କୁଟେବାଲି ଓ ସଦରଘରକୁ। ଜଗିରଖି କାମ କରେ। ଉଚ୍ଛୃଙ୍ଖଳ ହୁଏନି କି କାହାକୁ ହେବାକୁ ଦିଏନି। ଗାଁ-ଗାଁ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ଏକାଠି ହୋଇ ଚଳିବାର ପ୍ରବଣତା ତଥାପି ବଳବତ୍ତର। ନିୟମଗିରିର ସୁରକ୍ଷା ପାଇଁ ସମସ୍ତେ ଜାଗ୍ରତ। ତାକୁ ହଡ଼ପ କରି ନେବାକୁ ଟାକି ବସିଥିବା କମ୍ପାନୀ ଓ ତା’ ସହିତ ଜଡ଼ିତ ମଣିଷମାନେ ତା’ର ଶତ୍ରୁ। ତଳଦେଶର ଲୋକଙ୍କ ମାନସିକତାକୁ ସେ ପଢ଼ିଛି ଓ ବୁଝିଛି। ମାର୍ମିକ ଅନୁଭବକୁ ସାଉଁଟିଛି। ସେମାନଙ୍କ ଚଞ୍ଚକତାର ଶିକାର ହେଉଛି ନିତିଦିନ। କିନ୍ତୁ ସମ୍ପର୍କ କେବେ ତୁଟେଇନି। ବରଂ ତାଙ୍କ ସହ ସଂଲଗ୍ନ ଭାବରେ ସେ ବଢ଼ିଆସିଛି ଓ ଆଗକୁ ବି ବଢ଼ିବ। ଏଇ ନୀତିରେ ସେ ଚାଲିଛି। ଏଇ ଉଦାରପଣରେ ଗାଁକୁ ଆସୁଥିବା ସବୁ ମଣିଷ ତା’ ପାଇଁ କୁଣିଆ ବା ଅତିଥି। ସମ୍ମାନ ଦେବା ଡଙ୍ଗରିଆର ଧର୍ମ। ସେଥିପାଇଁ ଉପର ଦେଶର ଗାଁରେ ପାଦଦେଲେ ତଳ ଦେଶର ଲୋକ ପାଲଟିଯାଆନ୍ତି ମାହାପ୍ରୁ ଲୋକ। କିର୍ଲି ଓ ସୁସୁକାରୀ ଶବ୍ଦରେ ଭାବନା ରାଇଜରୁ ଫେରିଲା ବେଳକୁ ଦେଖିଲି ଆଉ ଜଣେ ତଳ ଦେଶର ଲୋକ ବସିଥିଲା ଖଟିଆ ଉପରେ। ଖଟିଆ ବୁଲୁଥିଲା ଶୂନ୍ୟରେ। ଝଲସୁଥିଲା ଖୁସି ଡଙ୍ଗରିଆଙ୍କ ମୁହଁରେ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri