ତଳ ଦେଶର ଲୋକ

ଦ୍ୱିତୀ ଚନ୍ଦ୍ର ସାହୁ

ପାରମ୍ପରିକ ବାଜା ବାଜୁଥିଲା। ଢାମ୍ପ, ମହୁରୀ ଓ ତୁଡୁମର ନାଦରେ ଗଗନ ପବନ କମ୍ପି ଉଠୁଥିଲା। ଗୁରୁମାଇ ସବୁ ଧଳାଲୁଗା ପିନ୍ଧି ମନ୍ତ୍ର ପଢ଼ୁଥିଲେ। ଅଲିଖିତ ଧାରାରେ ନାଚୁଥିଲେ ସେମାନେ। ବାକି ଗଁା ଲୋକ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନିଜ ଇଚ୍ଛାରେ ନାଚୁଥିଲେ। ଗଁାରେ ଏକପ୍ରକାର ଉତ୍ସବର ପରିବେଶ। ସମସ୍ତେ ଉନ୍ମାଦ ଓ ଅତିଶୟ ଉତ୍ସାହିତ। ପୁରୁଷ ଦେବତା ସଦରଘର କାନ୍ଥରେ କୁମାରୀ ଝିଅ ସବୁ ପାରମ୍ପରିକ ଡଙ୍ଗରିଆ ଚିତା କାଟୁଥିଲେ। ସଜଉଥିଲେ ଦେବତାଙ୍କ ଘର। କୁଟେଇବାଲି ଦେବୀ ନିକଟରେ ଗୁରୁମାଇଙ୍କ ଗହଳି। ମନ୍ତ୍ର ସହ ବଳିପଡ଼ୁଛି ପଶୁପକ୍ଷୀ। ଏମିତି ଏକ ଅଦ୍ଭୁତ ପରିବେଶ ଡଙ୍ଗରିଆ ଗାଁରେ। ଚାଲିଛି ମେରିଆ ପରବ। ହଠାତ୍‌ ଏକ ଦଉଡ଼ିଆ ଖଟ ଆସିଲା। ବୟସ୍କ ଡଙ୍ଗରିଆ ଜଣକ ଆସି କହିଲେ- ମାହାପ୍ରୁ! ଖଟରେ ବସ! ସ୍ବାଭାବିକ ଭାବେ ବସିଗଲି। ଭାବିଲି ବସିବାକୁ ଏମିତି ସଜବାଜ। ପାଖରେ ଥିବା କିଛି ଡଙ୍ଗରିଆ ଯୁବକ ଦଉଡ଼ିଆ ଖଟକୁ ଧରିଲେ। ଖୁରାଗୁଡ଼ିକୁ ଭିଡ଼ି ଧରି ଶୂନ୍ୟକୁ ଟେକିଲେ। କିଛି ପଚାରିବା ଆଗରୁ ଝୁଲେଇ ଝୁଲେଇ ଗଁା ଦେବତା ସଦର ଘର ଚାରିପଟେ ବୁଲେଇବାକୁ ଲାଗିଲେ। ଆଗରେ ଆଉ କିଛି ଯୁବକ କିର୍ଲି ମାରି ଘୂରୁଥିଲେ। ଉପରେ ବସି ଗଁାକୁ ଦେଖିଲି। ଖଟ ସହ ବୁଲୁଥିଲା ଗାଁ, ଘର, ଡଙ୍ଗର, ଝୁଲା ଝରଣା। ତିନିଥର ବୁଲେଇଲା ପରେ ତଳେ ଥୋଇଦେଲେ। କିଛି ବି ଜାଣିପାରୁ ନ ଥିଲି। ପୁଣି ସେଇ ବୟସ୍କ ଡଙ୍ଗରିଆ ଆସି କହିଲେ- ଡରିଗଲୁ କି ମାହାପ୍ରୁ! ଇମିତି କା ଆମ ଦେଶରେ ଚାଲିଛି। ତୁଇ ତଳ ଦେଶର ଲୁକ। ଆମର କୁଣିଆ। ତୋତେ ସମ୍ମାନ ନ ଦେଲେ ଆମ ଗାଁକୁ ନିନ୍ଦା। ଆଉ ଜଣେ କୁଣିଆକୁ ଏମିତି ସମ୍ମାନ ଦେବାକୁ ଚାଲିଗଲେ। ତା’ପରେ ଚକିତ ହୋଇଗଲି।
ଡଙ୍ଗରିଆଙ୍କ ହିସାବ ଅଲଗା। ନିୟମଗିରି ପାହାଡ଼ ତଳେ ରହୁଥିବା ଅଞ୍ଚଳ ତଳ ଦେଶ। ପାହାଡ଼ ଉପରେ ତାଙ୍କ ରାଇଜ। ସେଠି ଯିଏ ରହନ୍ତି ତାଙ୍କ ନିଜର ଲୋକ ବୋଲି ଭାବନ୍ତି। ବାକି ସମସ୍ତେ ତଳ ଦେଶର ଲୋକ। ସେମାନଙ୍କ ପାଇଁ ଅତିଥି। ନିୟମଗିରିର ଉପତ୍ାଦିତ ଫସଲକୁ ତଳ ଦେଶର ଲୋକଙ୍କ ନଜର। ଖାଲି ଫସଲ ନୁହେଁ, ଡଙ୍ଗରିଆଙ୍କ ପ୍ରତି ଭିନ୍ନ ଦୃଷ୍ଟିଭଙ୍ଗୀ। ଅଶିକ୍ଷିତ ଓ ଆଦିମର ଆଖ୍ୟା ଦେଇ ଆମ ନିକିତିରେ ତଉଲୁଥାଉ। ସେଥିପାଇଁ ଡଙ୍ଗରିଆ ଯୁବତୀ ମୁଣ୍ଡରେ ବୋହି ଆଣୁଥିବା ଫସଲକୁ ତା’ ଇଚ୍ଛା ବିରୋଧରେ ଟାଣିନିଏ ବେପାରୀ। ଜୋର କରି କମ୍‌ ପଇସାଦିଏ। ସେତିକି ନ ହେଲେ ରାସ୍ତା କଡ଼ରେ ପସରା ଧରି ଗରାଖ ଅପେକ୍ଷାରେ ଥିବା ଡଙ୍ଗରିଆ ଯୁବତୀ ସାମ୍ନା କରେ ତଳ ଦେଶର ଲୋକଙ୍କୁ। ମୂଲାମୂଲି କରି ପସନ୍ଦ ହେଲେ କିଣେ ଗରାଖ। ଅଧିକରୁ ଅଧିକ ଶସ୍ତାରେ ଯେମିତି ଜିନିଷ ମିଳିବ ସେଇ ମାନସିକତାରେ ତଳ ଦେଶର ଲୋକ। ଡଙ୍ଗରିଆ କ’ଣ ପାଏ, କ’ଣ ହଜାଏ ହିସାବ କରେନି। ତାକୁ ଲୋଡ଼ା ସଦ୍ୟ ପଇସା। ସେ ଯେମିତି ହେଉ ବିକିବ ଜିନିଷ। ବିକିଲେ ତା’ ଦେଶକୁ ନେବ ତେଲ ଲୁଣ ଶୁଖୁଆ। ଆଉ ମଦ ପିଇବ। ସେଥିପାଇଁ ଉଦାର ହୃଦୟରେ ଦେଇଦିଏ ତା’ ଜିନିଷ କମ ମୂଲ୍ୟରେ।
ବଦଳିଛି ତଳ ଦେଶ। ବଦଳିଛନ୍ତି ତଳ ଦେଶର ଲୋକ। ଆଗ ପରି ଗାଁରେ ଆତିଥେୟତା ନାହିଁ। ଦିନ ଥିଲା ଗଁାକୁ ଯିଏ ଆସୁଥିଲା ସେ ଗାଁର ଅତିଥି। ପରିଚୟ ଓ ସମ୍ପର୍କ ନ ଥିଲେ ବି ସମସ୍ୟା ନାହିଁ। ଖାଇବା ବେଳରେ ପହଁଚିଲେ ଅତିଥି ଖାଲି ପେଟରେ ଫେରିବନି କେବେ। ମଠ ମନ୍ଦିରରେ ଅଭ୍ୟାଗତ ଖଞ୍ଜା ହୋଇଥିବ ବାହାର ଆଗନ୍ତୁକଙ୍କ ପାଇଁ। କିଛି ନ ହେଲେ ବି ଗଁା ଭାଗବତ ଟୁଙ୍ଗିରେ ରହିବା ଓ ଖାଇବା ଲାଗି ବ୍ୟବସ୍ଥା ହେବ ତୁରନ୍ତ। ଜଣଙ୍କର ସମ୍ପର୍କୀୟ ଗାଁର ସମସ୍ତଙ୍କର ସମ୍ପର୍କୀୟ। ଦେଖୁ ଦେଖୁ ଖୋଲିଯାଏ ଆତ୍ମୀୟତାର ପସରା। କୁଶଳ ଜିଜ୍ଞାସା। ଏବେ ଗାଁର ପରିବେଶ ଉନ୍ମୁକ୍ତ। ସହର ସହର ବାସୁଛି ଗାଁ। ଘର-ଘର ଭିତରେ ଅପଡ଼। ସାହି-ସାହି ଭିତରେ ସଂଘର୍ଷ। ସବୁଠି ରାଜନୀତି। ଭାବର ଅଭାବ। ଈର୍ଷା ଓ ପରଶ୍ରୀକାତରତାରେ ଗିଳି ହୋଇପଡିଛି ଗାଁ। ସମ୍ପର୍କୀୟଙ୍କ ଭିତରେ କନ୍ଦଳ। ମନାନ୍ତର ଓ ମତାନ୍ତର। ପରପିଢ଼ି ଭିତରେ ଉତ୍ତମ ସମ୍ପର୍କର ଅଭାବ। ମାରପେଞ୍ଚ ଭିତରେ ଗାଁ ବୁକେଇ ପଡିଛି। ବଦଳି ଚାଲିଛି ଲୋକଙ୍କ ମାନସିକତା। ପରର ସୁବିଧା ଚୁଲିକି ଯାଉ। ନିଜ ଘର ପରିବାର ଭଲରେ ଥାଉ। ଅର୍ଥ ସର୍ବସ୍ବ ଦୁନିଆ ଭିତରେ ସ୍ନେହ, ମମତା, ଆତ୍ମୀୟତା ସର୍ବୋପରି ସମ୍ପର୍କ ପାଣିଚିଆ। ଡଙ୍ଗରିଆ ଅଞ୍ଚଳର ବି ପରିବେଶ ବଦଳିଛି। ରାସ୍ତା ଖୋଲିଛି। ତଳଦେଶକୁ ବାଟ ଫିଟିଛି। ଡଙ୍ଗରିଆଙ୍କ ଗାଁ ପରିବେଶ ଆଗ ପରି ନାହିଁ। ରୁକ୍ଷ ହୋଇପଡିଛି ଡଙ୍ଗର ପାହାଡ଼। ଗଁାରେ ଆଧୁନିକତାର ସ୍ପର୍ଶ। ଶିକ୍ଷିତ ହେବାରେ ଲାଗିଛି ଡଙ୍ଗରିଆ। ବଦଳିଛି ବଞ୍ଚତ୍ବା ତରିକା। ତଥାପି ବଦଳିନି ନିୟମଗିରିର ନିୟମ। ଏଠି ନିୟମରାଜା ହିଁ ସର୍ବେସର୍ବା। ନିୟମରାଜାର ସନ୍ତାନ ହେଉଛନ୍ତି ଡଙ୍ଗରିଆ। ତା’ରି ଅଦୃଶ୍ୟ ଆଦେଶରେ ଚାଲେ ନିୟମଗିରିର ରାଇଜ। ଡଙ୍ଗରିଆ ଡରେ ନିୟମରାଜାକୁ। ଭୟ ଓ ଭକ୍ତି କରେ କୁଟେବାଲି ଓ ସଦରଘରକୁ। ଜଗିରଖି କାମ କରେ। ଉଚ୍ଛୃଙ୍ଖଳ ହୁଏନି କି କାହାକୁ ହେବାକୁ ଦିଏନି। ଗାଁ-ଗାଁ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ଏକାଠି ହୋଇ ଚଳିବାର ପ୍ରବଣତା ତଥାପି ବଳବତ୍ତର। ନିୟମଗିରିର ସୁରକ୍ଷା ପାଇଁ ସମସ୍ତେ ଜାଗ୍ରତ। ତାକୁ ହଡ଼ପ କରି ନେବାକୁ ଟାକି ବସିଥିବା କମ୍ପାନୀ ଓ ତା’ ସହିତ ଜଡ଼ିତ ମଣିଷମାନେ ତା’ର ଶତ୍ରୁ। ତଳଦେଶର ଲୋକଙ୍କ ମାନସିକତାକୁ ସେ ପଢ଼ିଛି ଓ ବୁଝିଛି। ମାର୍ମିକ ଅନୁଭବକୁ ସାଉଁଟିଛି। ସେମାନଙ୍କ ଚଞ୍ଚକତାର ଶିକାର ହେଉଛି ନିତିଦିନ। କିନ୍ତୁ ସମ୍ପର୍କ କେବେ ତୁଟେଇନି। ବରଂ ତାଙ୍କ ସହ ସଂଲଗ୍ନ ଭାବରେ ସେ ବଢ଼ିଆସିଛି ଓ ଆଗକୁ ବି ବଢ଼ିବ। ଏଇ ନୀତିରେ ସେ ଚାଲିଛି। ଏଇ ଉଦାରପଣରେ ଗାଁକୁ ଆସୁଥିବା ସବୁ ମଣିଷ ତା’ ପାଇଁ କୁଣିଆ ବା ଅତିଥି। ସମ୍ମାନ ଦେବା ଡଙ୍ଗରିଆର ଧର୍ମ। ସେଥିପାଇଁ ଉପର ଦେଶର ଗାଁରେ ପାଦଦେଲେ ତଳ ଦେଶର ଲୋକ ପାଲଟିଯାଆନ୍ତି ମାହାପ୍ରୁ ଲୋକ। କିର୍ଲି ଓ ସୁସୁକାରୀ ଶବ୍ଦରେ ଭାବନା ରାଇଜରୁ ଫେରିଲା ବେଳକୁ ଦେଖିଲି ଆଉ ଜଣେ ତଳ ଦେଶର ଲୋକ ବସିଥିଲା ଖଟିଆ ଉପରେ। ଖଟିଆ ବୁଲୁଥିଲା ଶୂନ୍ୟରେ। ଝଲସୁଥିଲା ଖୁସି ଡଙ୍ଗରିଆଙ୍କ ମୁହଁରେ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri