ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ପାଞ୍ଚ ଗାଁର ଲୋକେ

କୋକସରା, ୨୦ା୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ରାଜସ୍ବ ଗ୍ରାମ ଅଧୀନରେ ଥିବା ୫ ଖଣ୍ଡ ଗ୍ରାମର ଲୋକେ ଗତ ୫ବର୍ଷ ହେବ ଆବାସ ଯୋଜନାରେ ଘର ପାଉନାହାନ୍ତି। ଏ ନେଇ ସୋମବାର ସେମାନେ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ସାନ ପୋଡାଗୁଡା ପଞ୍ଚାୟତ ଅଧୀନରେ ଥିବା କୁଲେରଗୁଡା, ସୌରିପଡା, କଲୋନୀପଡା, ଆମପଡା, ସିନାପଡା ସମେତ ପୋଡାଗୁଡା ଗାଁରେ ରହୁଥିବା ଶତାଧିକ ବାସହୀନ ପରିବାରକୁ ଗତ ୫ବର୍ଷ ହେବ ଆବାସ ଯୋଜନାରେ ଘର ମିଳିନାହିଁ। ଏ ନେଇ ସେମାନେ ପଞ୍ଚାୟତଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏ ଜଣାଇଥିଲେ ବି କୌଣସି ସୁଫଳ ମିଳିନାହିଁ। ଫଳରେ ସେମାନେ ଏବେ ବି ଝାଟି ମାଟି କୁଡିଆ ଘରେ ବାସ କରୁଛନ୍ତି। ଭାଜପା ଯୁବନେତା ଲକ୍ଷ୍ମୀକାନ୍ତ ବାଗଙ୍କ ନେତୃତ୍ୱରେ ଉପରୋକ୍ତା ଗଁାର ଅଧିବାସୀମାନେ ପରେ ବିଡ଼ିଓ ମନିଷା ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏ ଦିଗରେ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ବିଡ଼ିଓ ଦାସ କହିଛନ୍ତି ଯେ, ସେମାନଙ୍କ ଇନକ୍ଲୁଜନ ଲିଷ୍ଟ ହୋଇଯାଇଛି। ଆସନ୍ତା ବର୍ଷରୁ ଆବାସ ଯୋଜନାରେ ସେମାନେ ଘର ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।