ଗଞ୍ଜାମ, ୩୧ା୧୦ (ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ମହାବାତ୍ୟାର ରୂପ ନେଇ ଲୋକଙ୍କ ଜୀବନଜୀବିକାକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ପୁଣି ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହେବାର ସମ୍ଭାବନା ନେଇ ମିଳିଥିବା ସୂଚନା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି।
ଗଞ୍ଜାମ ବ୍ଲକର ମୋଟ ୧୫ଟି ପଞ୍ଚାୟତ ମଧ୍ୟରୁ ୫ଟି ପଞ୍ଚାୟତର ୧୮ଟି ଗାଁରେ ବନ୍ୟାଜଳ ପ୍ରବେଶ କରିବାରୁ ଲୋକେ ପ୍ରଭାବିତ ହୋଇଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପୋଇରାଶି ପଞ୍ଚାୟତର ଭୁଆଁଭୂଇଁ ଗ୍ରାମରେ ବନ୍ୟାଜଳ ରହିଥିବା ବିଡିଓ ଅଚ୍ୟୁତାନନ୍ଦ ଜାନି ଓ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି।
ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଲୋକଙ୍କ ଘରେ ବନ୍ୟାଜଳ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଚାଷଜମିରେ ପାଣି ଜମି ରହିବା ଯୋଗୁ ରବି ଓ ଖରିଫ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।
ସେହିପରି ସାମୁଦ୍ରିକ ପାରମ୍ପରିକ ସମ୍ପ୍ରଦାୟର ମତ୍ସ୍ୟଜୀବୀ ଏବଂ ଋଷିକୁଲ୍ୟା ନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନେ ଏବେ ଜୀବିକା ହରାଇ ବସିଛନ୍ତି। ଏଭଳି ସ୍ଥିତିରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସେମାନଙ୍କ ଚିନ୍ତା ବଢ଼ାଇଦେଇଛି।
Dharitri – Odisha’s No.1 Odia Daily