ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ପିଅନ

ବାଲେଶ୍ୱର ଅଫିସ, ୩।୧୨: ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଉଠାଣ ନିମନ୍ତେ କାଗଜପତ୍ର ଠିକ୍‌ କରିବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ରେଳଷ୍ଟେଶନ ନିକଟସ୍ଥ ପୂର୍ତ୍ତ ବିଭାଗ-୨ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ (ପିଅନ) ପଦ୍ମନାଭ ସ୍ବାଇଁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜକୁ ଇଲେକ୍ଟ୍ରି ସାମଗ୍ରୀ ଯୋଗାଇଥିବା କଟକ ଅମ୍ବିକା ଆସୋସିଏଟ୍‌ର ଜଣେ ସହକାରୀ ଠିକାଦାର ରୁଦ୍ର କୁମାର ବେହେରା ସିକ୍ୟୁରିଟି ଟଙ୍କା ଉଠାଣ ନିମନ୍ତେ ବାରମ୍ବାର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇଥିଲେ। ତାଙ୍କୁ ବିଭାଗୀୟ ଅଧିକାରୀ ଲକ୍ଷାଧିକ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିରେ ଅତିଷ୍ଠ ହୋଇ ବେହେରା ଭିଜିଲାନ୍ସର ଆଶ୍ରୟ ନେଇଥିଲେ। ଭିଜିଲାନ୍ସ ଯୋଜନା ଅନୁସାରେ ବେହେରା ଟଙ୍କାକୁ ନେଇ ପିଅନ ପଦ୍ମନାଭଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେ ପିଅନ ହୋଇଥିଲେ ମଧ୍ୟ ଜିଲା ପୂର୍ତ୍ତବିଭାଗ ୧ ଓ ୨ର ଠିକାଦାରମାନଙ୍କର ଥିବା ସିକ୍ୟୁରିଟି ଟଙ୍କା ଏକ ବର୍ଷ ପରେ ଫେରସ୍ତ କରିବା ପାଇଁ ସମସ୍ତ କାଗଜପତ୍ରକୁ ଅଡ଼ିଟ୍‌ କରି ଫାଇଲ୍‌ ପ୍ରସ୍ତୁତ କରିଥାନ୍ତି। ପରେ ବିଭାଗୀୟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଏହାକୁ ତଦନ୍ତ କରି ମୋଟ୍‌ କାର୍ଯ୍ୟର ଡିପୋଜିଟ୍‌ ଥିବା ୫% ସିକ୍ୟୁରିଟି ଟଙ୍କା ଫେରସ୍ତ କରିଥାନ୍ତି। ଏହି କାର୍ଯ୍ୟ ପାଇଁ ପିଅନ ପଦ୍ମନାଭ ଠିକାଦାର ବେହେରାଙ୍କଠାରୁ ଶନିବାର ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଅନ୍ୟପକ୍ଷରେ ସୋର ଉତ୍ତରେଶ୍ୱର ଅଞ୍ଚଳସ୍ଥିତ ପଦ୍ମନାଭଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇ ତଦନ୍ତ କରାଯାଉଛି।