ସରକାରୀ ସୁବିଧାରୁ ବଞ୍ଚିତ ପାହାଡ଼ି ଗାଁ ପେଣ୍ଟାମାମୁଡ଼ି

ଚିତ୍ରକୋଣ୍ଡା,୨୫ା୧(କ୍ଷୀରୋଦ ବେହେରା): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ଦୁର୍ଗମ ପାହାଡି ତଳ ଗାଁ ପେଣ୍ଟାମାମୁଡ଼ି। ଉକ୍ତ ଗାଁ ସରକାରୀ ସୁବିଧାରୁ ବଞ୍ଚିତ ରହିଛି। ଉକ୍ତ ଗ୍ରାମକୁ ଧୂଳିପୁଟ ପଞ୍ଚାୟତ କାର୍ଯ୍ୟାଳୟରୁ ପାହାଡ ରାସ୍ତାରେ ୧୫ କି.ମି.ହେଉଥିବା ବେଳେ ସୁନାମଗୋଇ ଗ୍ରାମ ବାଟ ପାହାଡ଼ ଜଙ୍ଗଲ ଭିତରେ ଦେଇ ୩ କି.ମି.ଅତିକ୍ରମ କଲେ ଗ୍ରାମକୁ ଯାଇହେବ। ଏହି ଗ୍ରାମରେ ମୋଟ ୧୬ ଆଦିବାସୀ କନ୍ଧ ସମ୍ପ୍ରଦାୟ ପରିବାର ବାସ କରୁଛନ୍ତି। ସ୍ବାଧୀନତାର ଦଶନ୍ଧି ଦଶନ୍ଧି ପରେ ମଧ୍ୟ ଗ୍ରାମକୁ ଅଛି ରାସ୍ତା ନା ପାନୀୟ ଜଳ ସୁବିଧା। ବିଦ୍ୟୁତ୍‌ ସେବା ନ ଥିବା ବେଳେ ପିଲା ପାଠ ପଢିବାକୁ ନ ଥିବାରୁ ସରକାରୀ ସେବାରୁ ବଞ୍ଚିତ ରହି ଜୀବନ ବିତାଉଛନ୍ତି ଗ୍ରାମବାସୀ। ଆଦିବାସୀ ମାନେ ବହୁ କଷ୍ଟରେ ଯାତାୟାତ କରି ଜୀବନ ବିତାଉଛନ୍ତି l ପିଡ଼ିଏସ୍‌ ଚାଉଳ ଓ ଭତ୍ତା ନେବା ପାଇଁ ନାହିଁ ନ ଥିବା ଅସୁବିଧାରେ ପାହାଡ଼ ଚଢି ଯାଉଥିବା ଗ୍ରାମବାସୀ କହିଛନ୍ତି l ନିଜ ଗ୍ରାମଦେଇ ଯାଇଥିବା ନାଳରେ ଗାତରୁ ବାହାରୁ ଥିବା ପାଣିକୁ ଛାଣି ପିଉଛନ୍ତି। ସେଇଭଳି ଏବେ ବି ସେହି ଗ୍ରାମକୁ ବିୁଦ୍ୟତ୍‌ ସଂଯୋଗୀକରଣ ହୋଇନଥିବାରୁ ଅନ୍ଧାର ଭିତରେ ରହୁଛନ୍ତି ଉକ୍ତ ଗ୍ରାମବାସୀ। ଉକ୍ତ ଗ୍ରାମକୁ ରାସ୍ତା ନ ଥିବାରୁ ଇନ୍ଦିରା ଆବାସ ଓ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ କହିଛନ୍ତି l ଜିଲା ପ୍ରଶାସନ ଉକ୍ତ ଗ୍ରାମ ସମସ୍ୟାକୁ ଅନୁଧ୍ୟାନ କରି ତୁରନ୍ତ ସୁବିଧା ଯୋଗାଇଦେବାକୁ ପେଣ୍ଟାମାମୁଡ଼ି ଗ୍ରାମବାସୀ ଦାବି କରିଛନ୍ତି l