ପେନ୍‌ସନଭୋଗୀଙ୍କ ଅନୁପସ୍ଥିତିରେ ମିଳିବ ପେନ୍‌ସନ

ଭୁବନେଶ୍ୱର,୫।୧୧(ବ୍ୟୁରୋ): କରୋନା ସମୟରେ ରାଜ୍ୟ ସରକାରଙ୍କ ୫-‘ଟି’ ଏବଂ ‘ମୋ ସରକାର’ ସୂତ୍ର ଅଧୀନରେ ପରିବାର ପେନ୍‌ସନଭୋଗୀଙ୍କୁ ସେବା ଯୋଗାଇ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ବାର୍ଷିକ ଜୀବନ ପ୍ରମାଣପତ୍ର, ପୁନଃ ବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ନିୟୋଜନ ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲର ସମୟସୀମାକୁ ବୃଦ୍ଧି କରାଯାଇଛି। ନଭେମ୍ବର ୨୦୨୦ରୁ ମେ ୨୦୨୧ ପର୍ଯ୍ୟନ୍ତ ଏହା ବୃଦ୍ଧି କରାଯାଇଛି। ପ୍ରଥମ ଥର ପାଇଁ ପେନ୍‌ସନ ଗ୍ରହଣକାରୀଙ୍କ ଅନୁପସ୍ଥିତିରେ ଗ୍ରାଚ୍ୟୁଟି ଏବଂ କମ୍ୟୁଟେଡ୍‌ ପେନ୍‌ସନ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟର ପେନ୍‌ସନଭୋଗୀଙ୍କୁ ଅନୁରୋଧ କରାଯାଇଛି, ସେମାନେ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଓ ରାଜ୍ୟ ସରକାରଙ୍କ କୋଭିଡ୍‌ ନିୟମର ପାଳନ ନିମନ୍ତେ ବାର୍ଷିକ ଜୀବନ ପ୍ରମାଣପତ୍ର ନଭେମ୍ବର ୨୦୨୦ ପରିବର୍ତ୍ତେ ମେ ୨୦୨୧ରେ ପେନ୍‌ସନ ପ୍ରଦାନକାରୀ ସଂସ୍ଥା ଯଥା ଟ୍ରେଜେରି ଓ ବ୍ୟାଙ୍କ ନିକଟରେ ପ୍ରଦାନ କରିବେ।