ଦିଗପହଣ୍ଡି, ୧୩।୧୧ (ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ୍ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଏବଂ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (ୟୁପିଏମ୍ପି)ର ଶୁଭାରମ୍ଭ ଅବସରରେ ଶୁକ୍ରବାର ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ ଦିଗପହଣ୍ଡି ବ୍ଲକ ଓ ଏନ୍ଏସି ସ୍ତରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାୟ ୩୦୦ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ। ଦିଗପହଣ୍ଡି ବ୍ଲକ ଅଧୀନସ୍ଥ ୨୫ଟି ପଞ୍ଚାୟତର ମୋଟ ୧୧୬୯ ଜଣ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ଯୋଜନାରେ ସାମିଲ କରାଯାଇଥିବା ଜଣାପଡ଼ିଛି।
ଏହି ଅବସରରେ ଦିଗପହଣ୍ଡି ବିଡିଓ ଅନାମିକା ପାଣ୍ଡେ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ, ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସମେତ କାଉନସିଲର ସୁଶାନ୍ତ କୁମାର ପାତ୍ର, ନୀଳମାଧବ ଗୌଡ଼, ଦୀପକ ମିଶ୍ର, ସନ୍ତୋଷିନୀ ବେହେରା, ଜ୍ୟୋତ୍ସ୍ନା ଜେନା, ଇ. ଗାୟତ୍ରୀ ଓ ମାମିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏନ୍ଏସିର ୯୨ ଜଣ ହିତାଧିକାରୀଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଇଥିଲା।
ଭତ୍ତା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ପ୍ରକ୍ରିୟା, ଯାଞ୍ଚ ଏବଂ ମାସିକ ଭତ୍ତା ବଣ୍ଟନକୁ ସରଳ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ନୂତନ ଡିଜିଟାଲ୍ ପୋର୍ଟାଲ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (ୟୁପିଏମ୍ପି)ର ଶୁଭାରମ୍ଭ କରାଯାଇଛି। ଏଣିକି ଆବେଦନକାରୀମାନେ ଏହି ପୋର୍ଟାଲ ମାଧ୍ୟମରେ ଭତ୍ତା ପାଇଁ ଆବେଦନ କରିପାରିବେ ବୋଲି ବିଧାୟକ କହିଥିଲେ।
ଅନ୍ୟପକ୍ଷରେ, ପୂର୍ବରୁ ଭତ୍ତା ପାଉଥିବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଗତ ୩ରୁ ୪ ମାସ ହେଲା ଭତ୍ତା ଟଙ୍କା ଆସୁନଥିବାରୁ ସେମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ବହୁ ସଂଖ୍ୟକ ହିତାଧିକାରୀ ଅଭିଯୋଗ କରିଥିଲେ।