Categories: ରାଜ୍ୟ

ପେନ୍‌ସନ୍‌ ଟଙ୍କା ଆତ୍ମସାତ୍‌ ମାମଲା: କନିଷ୍ଠ କିରାଣି ପ୍ରମୋଦ ରଥ ଗିରଫ

ବଲାଙ୍ଗୀର ଅଫିସ,୨୯।୧୨: ପେନ୍‌ସନ୍‌ ଟଙ୍କା ହଡପ୍‌ ମାମଲାରେ ବଲାଙ୍ଗୀର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ(ବିଇଓ) ଅଫିସର ନିଲମ୍ବିତ କନିଷ୍ଠ କିରାଣି ପ୍ରମୋଦ ରଥଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛ। ଭିଜିଲାନ୍ସ ଟିମ୍‌ ମଙ୍ଗଳବାର ହାତୀଶାଳପଡ଼ା ସ୍ଥିତ ସରକାରୀ କ୍ୱାର୍ଟରରୁ ତାଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ ଟିମ୍‌ ତନ୍ତତ ବେଳେ ଘରୁ ନଗଦ ୮ ଲକ୍ଷ ୭୧ ହଜାର ଟଙ୍କା, ୬ଟି ବୁଲେଟ୍‌ ଗାଡି ଓ ଏକ କାରକୁ ଭିଜିଲାନ୍ସ ଟିମ୍‌ ଜବତ କରିଥିବା ଜଣାପଡିଛି। ୨୦୧୯ରେ ବଲାଙ୍ଗୀର ବିଇଓ ଅଫିସ ସରକାରୀ ତହବିଲରୁ ୧ କୋଟି ୭୧ ଲକ୍ଷ ଟଙ୍କା ହଡପ୍‌ ହୋଇଥିବା ଜଣାପଡିଥିଲା। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ବିଭାଗୀୟ ତଦନ୍ତ ରିପୋର୍ଟ ଏବଂ ତଥ୍ୟ ଅନୁଯାୟୀ କିରାଣୀ ରଥଙ୍କୁ ଫେବୃୟାରୀ ୧୨ରେ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ପରେ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ କିରାଣି ରଥ ତାଙ୍କ ଅବସରପ୍ରାପ୍ତ ଶିକ୍ଷକ ବାପା, ସ୍ତ୍ରୀ ଓ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ବେଆଇନ ଭାବେ ଟ୍ରାନ୍ସଫର କରିଥିବା ଜଣାପଡିଥିଲା। ଏହି ମାମଲାରେ ଗତ ଅଗଷ୍ଟ ୧୭ରେ ତତ୍କାଳୀନ ବଲାଙ୍ଗୀର ବ୍ଲକ୍‌ ଶିକ୍ଷା ଅଧିକାରୀ ରିଚପାଲ ସାଗରଙ୍କୁ ମଧ୍ୟ ରାଜ୍ୟ ସରକାର ନିଲମ୍ବନ କରିଥିଲେ। ମଙ୍ଗଳବାର ନିଲମ୍ବିତ କନିଷ୍ଠ କିରାଣି ରଥଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଗିରଫ ପରେ କିରାଣୀ ରଥଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି।