ହାଟଡିହୀ/ଛେନାପଦୀ,୫।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ନରହରି ନାୟକଙ୍କୁ ପ୍ରୋଭିଜନାଲ ପେନସନ ପ୍ରଦାନ କରିବା ପାଇଁ ମାନ୍ୟବର ଓଡିଶା ହାଇକୋର୍ଟ ଚଳିତ ମାସ ଗତ ୧ ତାରିଖରେ କେନ୍ଦୁଝର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଥିବାରୁ ନରହରି ୩୦ ଏପ୍ରିଲ ୨୦୨୫ ତାରିଖରୁ ଅବସର ଗ୍ରହଣ କରିସାରିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ପ୍ରୋଭିଜନାଲ ପେନସନ (ଅସ୍ଥାୟୀ ପେନସନ)ମଞ୍ଜୁର କରାଯାଇନାହିଁ ବୋଲି ଆଦେଶ ପତ୍ରରେ ଉଲ୍ଲେଖ ଅଛି । ତେଣୁ ଆଦେଶ ପାଇବା ତାରିଖରୁ ୪ ସପ୍ତାହ ମଧ୍ୟରେ, ଯଥାସମ୍ଭବ ଶୀଘ୍ର, ପ୍ରାପ୍ୟ ଓ ଗ୍ରହଣୀୟ ପ୍ରୋଭିଜନାଲ ପେନସନ ମଞ୍ଜୁର ଓ ପ୍ରଦାନ କରିବାକୁ ହାଇକୋର୍ଟ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ପ୍ରୋଭିଜନାଲ ପେନସନ ମିଳୁ ନ ଥିବାରୁ ନରହରିଙ୍କ ଦ୍ୱାରା ଦାୟର ମାମଲାର ( ନଂ ଡବ୍ଲ୍ୟୁପି(ସି) -୧୨୯୫୫/୨୦୨୬) ଶୁଣାଣି କରି ହାଇକୋର୍ଟ ଉକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି ।
ସୂଚନାଯୋଗ୍ୟ, ହାଟଡିହୀ ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ଅନିୟମିତତା ନେଇ ଗତ ନଭେମ୍ବର ୨୦୨୨ରେ ଜିଲାପାଳ ନରହରିଙ୍କୁ ଚାକିରୀରୁ ନିଲମ୍ବନ କରିଥିଲେ । ଏହି ନିଲମ୍ବନକୁ ବିରୋଧ କରି ନରହରି ହାଇକୋର୍ଟଙ୍କଠାରେ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନରହରି ୨୬ ଜାନୁୟାରୀ ୨୦୨୩ ରେ ଚାକିରୀରେ ପୁନଃ ସ୍ଥାପିତ ହୋଇଥିଲେ। ଯୋଡ଼ା ବ୍ଲକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ପରଦିନ ୨୭ ଜାନୁୟାରୀ ୨୦୨୩ ରେ ଚାକିରୀରେ ଚାକିରୀ ରେ ଯୋଗଦାନ କରି ୩୦ ଏପ୍ରିଲ ୨୦୨୫ ରେ ଅବସର ଗ୍ରହଣ କରିଥିଲେ । ଅବସର ହେବା ଦିନ ଠାରୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ (ଡିପି ନଂ ୧/୨୦୨୫) ବିଚାରଧୀନ ଥିବାରୁ ଅଦ୍ୟାବଧି ସେ ପ୍ରୋଭିଜନାଲ ପେନସନ ପାଇନାହାନ୍ତି। ଏହାକୁ ନେଇ ନରହରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।