ପୁଣି ପେଗାସସ୍‌

ଗୋଟିଏ ଗଣତାନ୍ତ୍ରିକ ଦେଶରେ କ୍ଷମତାସୀନ ବ୍ୟକ୍ତି ଯେତେବେଳେ ନିଜକୁ ଅସୁରକ୍ଷିତ ମନେକରନ୍ତି, ସେତେବେଳେ ନିଜ ଦେଶର ନାଗରିକଙ୍କ ଉପରେ କୋପଦୃଷ୍ଟି ରଖିବା ସହିତ ଦାଉ ସାଧିବା ହୋଇଥାଏ ସାଧାରଣ ଅଭ୍ୟାସ। ଇସ୍ରାଏଲ ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରକୁ ଭାରତ କିଣିଥିବା ନେଇ ‘ନ୍ୟୁୟର୍କ ଟାଇମ୍ସ’ରେ ଏବେ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ରର ଭାଜପା ସରକାରର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି। ୨୦୧୭ରେ ଇସ୍ରାଏଲ ସରକାରଙ୍କ ସହିତ ଭାରତ କରିଥିବା ୨ ବିଲିୟନ ଡଲାର ବା ୧୫ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣା ଚୁକ୍ତିରେ ପେଗାସସ୍‌କୁ ସାମିଲ କରାଯାଇଥିଲା ବୋଲି ଉକ୍ତ ରିପୋର୍ଟରେ ତଥ୍ୟ ଦିଆଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୧୯ ଜୁନ୍‌ରେ ଭାରତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦରେ ଇସ୍ରାଏଲ ସପକ୍ଷରେ ଭୋଟ ଦେଇଥିଲା। ଏଥିରେ ପାଲେଷ୍ଟାଇନ୍‌ ମାନବ ଅଧିକାର ସଙ୍ଗଠନକୁ ପର୍ଯ୍ୟବେକ୍ଷଣ ଷ୍ଟାଟସ୍‌ ଦେବାକୁ ଭାରତ ମଧ୍ୟ ମନା କରିଥିଲା। ତେବେ ଭାରତରେ ଅନେକ ରାଜନେତା ବିଶେଷକରି ବିରୋଧୀ ନେତା, ବିଚାରପତି, ସାମାଜିକ ଓ ମାନବ ଅଧିକାର କର୍ମୀ ଏବଂ ସାମ୍ବାଦିକଙ୍କ ଗତିବିଧି ଉପରେ ପେଗାସସ୍‌ ପକ୍ଷରୁ ନଜର ରଖାଯାଇଥିବା ନେଇ ଗତବର୍ଷ ଜୁଲାଇରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପୂର୍ବରୁ ଏକ ନ୍ୟୁଜ ଓ୍ବେବ୍‌ସାଇଟ୍‌ ରିପୋର୍ଟ ପ୍ରକାଶ କରିଥିଲା। ଭାରତର ୩ ଶହରୁ ଅଧିକ ବ୍ୟକ୍ତିଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍‌ କରାଯାଇ ଫୋନ୍‌ କଲ୍‌ ରେକର୍ଡ କରାଯାଇଥିବା ଏଥିରେ ଦର୍ଶାଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ନାମ ସାମ୍ନାକୁ ଆସିବା ପରେ ମୋଦି ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଏବେ ବଜେଟ ଅଧିବେଶନ ପୂର୍ବରୁ ତଥ୍ୟଭିତ୍ତିକ ଯେଉଁ ରିପୋର୍ଟ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି, ତାହା ଅନେକାଂଶରେ ବିଶ୍ୱାସଯୋଗ୍ୟ ହେଉଛି।
ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓ୍ବେରକୁ କେବଳ ମାନ୍ୟତାପ୍ରାପ୍ତ ସରକାରୀ ସଂସ୍ଥାଗୁଡ଼ିକୁ ବିକ୍ରି କରାଯାଇଥାଏ ବୋଲି କମ୍ପାନୀ ପୂର୍ବରୁ କହିଥିଲା। ଅର୍ଥାତ୍‌ ଘରୋଇ ସଂସ୍ଥା ଏହି ଗୁପ୍ତଚରୀ ଆପ୍‌କୁ କିଣିପାରିବେ ନାହିଁ। ବିଭିନ୍ନ ଦେଶର ସରକାର ଆତଙ୍କବାଦ ଓ ଅପରାଧ ବିରୋଧୀ ଲଢ଼େଇ ଏବଂ ସୁରକ୍ଷା ଦୃଷ୍ଟିରୁ ବ୍ୟବହାର କରିବା ଉଦ୍ଦେଶ୍ୟ ରଖି ଏହାକୁ କିଣିଥାଆନ୍ତି। ହେଲେ ଦେଖାଯାଉଛି, ଇସ୍ରାଏଲ ପ୍ରଯୁକ୍ତି ଦ୍ୱାରା ବିକଶିତ ଏହି ଗୁପ୍ତଚରୀ ପ୍ରୋଗ୍ରାମ୍‌ ଅତି ତୀକ୍ଷ୍ମଣ ଭାବେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସ୍ମାର୍ଟଫୋନ୍‌ ଉପରେ ନଜର ରଖି ତଥ୍ୟ ହାସଲରେ ସଫଳ ହୋଇଥାଏ। ଏବେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ପାଲେଷ୍ଟାଇନ୍‌ ବିରୋଧରେ ଓ ଇସ୍ରାଏଲ୍‌ ସପକ୍ଷରେ ଭାରତ ମତ ଦେଇଥିଲା ବୋଲି ଯାହା କୁହାଯାଉଛି, ସେଥିରୁ ଅନୁମାନଯୋଗ୍ୟ ଯେ ମୋଦି ସରକାର ଉଦ୍ଦେଶ୍ୟ ରଖି ସବୁ କାରବାର କରିଛନ୍ତି।
ଆଜିର ସ୍ଥିତି ଦେଖିଲେ ଭାରତ ସମେତ କିଛି ଗଣତାନ୍ତ୍ରିକ ଦେଶର ନେତୃତ୍ୱ କ୍ରମଶଃ ଏକଚ୍ଛତ୍ରବାଦ ଚିନ୍ତାଧାରାକୁ ଆପଣାଉଛନ୍ତି। ସେମାନଙ୍କ ଇଚ୍ଛା ଅନୁଯାୟୀ ଫଳ ନ ମିଳିଲେ ନିଜ ନାଗରିକଙ୍କ ଉପରେ କ୍ରୋଧ ପ୍ରକଟ କରୁଛନ୍ତି। ବର୍ତ୍ତମାନ ପେଗାସସ୍‌ ଭଳି ଗୁପ୍ତଚରୀ ଆପ୍‌କୁ ମାଧ୍ୟମ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଧୁନିକ ପୃଥିବୀରେ ପ୍ରାୟ ଦେଢ଼ ଦଶନ୍ଧି ମଧ୍ୟରେ ଅଧିକାଂଶ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ତେଣୁ ଉନ୍ନତ ପ୍ରଯୁକ୍ତିକୁ ଆଧାର କରି ପେଗାସସ୍‌ ଭଳି ଆପ୍‌ର ଆବିର୍ଭାବ ହୋଇଛି। ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ବ୍ୟବହାରକାରୀର ସମସ୍ତ କଥାବାର୍ତ୍ତା, ଲେଖା, ଗତିବିଧି ଭଳି ସବୁ ସୂଚନା ମିଳିପାରୁଛି। ତେଣୁ ବ୍ୟବସାୟ, ରାଜନୀତି, ସାମ୍ବାଦିକତା ଭଳି ଅନେକ କ୍ଷେତ୍ର ପ୍ରତି ଏହା ବିରାଟକାୟ ବିପଦ ଭାବେ ଉଭା ହୋଇଛି। ଯଦି ନିଜ ଦେଶର ସରକାର କୌଣସି ବ୍ୟକ୍ତିବିଶେଷ କିମ୍ବା ଚିନ୍ତାଧାରାକୁ ଦମନ କରିବାକୁ ଆଗଭର ହୋଇଥାଏ, ସେତେବେଳେ ସିଧାସଳଖ ବିରୋଧୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହା ସର୍ବସମ୍ମୁଖରେ ଧରାପଡ଼ିଯିବାର ଭୟ ରହୁଥିବାରୁ ଶାସକ ବର୍ଗ ଗୁପ୍ତଚରଗିରିକୁ ଅସ୍ତ୍ର କରୁଛନ୍ତି। ଏହାଫଳରେ ବିରୋଧୀ ଯେଉଁ ରଣକୌଶଳ ଅନୁସରଣ କରୁଛନ୍ତି ସେସବୁକୁ ସହଜରେ କ୍ଷମତାସୀନ ବର୍ଗ ଜାଣିପାରୁଛନ୍ତି। ସୂଚନା ପ୍ରଯୁକ୍ତି ବା ଇନ୍‌ଫର୍ମେଶନ ଟେକ୍‌ନୋଲଜି ଏ ଦିଗରେ ବିଶେଷ ସହାୟକ ହେଉଥିବାରୁ ପେଗାସସ୍‌ ସ୍ପାଏଓ୍ବେର ଭଳି ଗୁପ୍ତଚରୀ ଆପ୍‌ କାମ ଦେଉଛି। ଯେତେବେଳେ ଏକ ରାଷ୍ଟ୍ର ତା’ର ନାଗରିକଙ୍କ ଉପରେ ନଜର ରଖିବା ଲାଗି ସେହି କରଦାତାଙ୍କ ଅର୍ଥକୁ ନଷ୍ଟ କରିବ, ଦେଶର ମର୍ଯ୍ୟାଦା ହ୍ରାସ ପାଇବା ସ୍ବାଭାବିକ। ଏହା ଆଜି କେତେକ ବ୍ୟକ୍ତିବିଶେଷଙ୍କ ବିରୋଧରେ ବ୍ୟବହାର ହେଉଥିବା ଭଳି ମନେହେଉଛି। କାଲିକୁ ଏହା ଦେଶବାସୀଙ୍କ ସ୍ବାର୍ଥ ବିରୋଧରେ କେଉଁଭଳି ବ୍ୟବହୃତ ହେବ, ତାହା ସାଧାରଣ ନାଗରିକ ବୁଝିବା ଏବେ ସମ୍ଭବପର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri