କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଶିଶୁରୋଗ ବିଶେଷଜ୍ଞ ଡା. ଲଳିତ କୁମାର ଅଗ୍ରୱାଲଙ୍କ ଏଭଳି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି।
ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି ଶେଷ କରି ଘରକୁ ଫେରିବା ସମୟରେ ଦୂରଦୂରାନ୍ତରୁ ଆସିଥିବା ଅସୁସ୍ଥ ଶିଶୁଙ୍କୁ ବାଟେଘାଟେ ଦେଖି ଡାକ୍ତର ଅଟକି ଯାଆନ୍ତି। ଶିଶୁଙ୍କୁ ମାଗଣାରେ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧ ଲେଖି ଦେଉଥିବା ଜଣାପଡ଼ିଛି। ହସ୍ପିଟାଲରେ ଅଧିକ ଭିଡ଼ ଯୋଗୁ ସମସ୍ତ ରୋଗୀଙ୍କୁ ସମୟ ଦେଇ ଚିକିତ୍ସା କରିବା ସମ୍ଭବ ହୋଇ ନ ଥାଏ। ଏପରି ସ୍ଥିତିରେ ଗରିବ ପରିବାରର ଶିଶୁ କିମ୍ବା ଦୂରଦୂରାନ୍ତରୁ ଆସିଥିବା ଶିଶୁଙ୍କୁ ରାସ୍ତା, ଛକ, ବସ୍ଷ୍ଟାଣ୍ଡ କିମ୍ବା ଚା’ ଦୋକାନ ନିକଟରେ ଦେଖିଲେ ମଧ୍ୟ ସେ ଚିକିତ୍ସା କରିଥାଆନ୍ତି।
ସମ୍ପ୍ରତି ହସ୍ପିଟାଲର ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ପରିସରରେ ଥିବା ଏସ୍ଆର୍ ମେଡିକାଲ ନିକଟସ୍ଥ ମୁଖ୍ୟ ରାସ୍ତାରେ ସ୍କୁଟି ଉପରେ ବସି ଜଣେ ଶିଶୁଙ୍କୁ ପରୀକ୍ଷା କରି ଔଷଧ ଲେଖି ଦେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ତାଙ୍କର ଏଭଳି ନିଆରା ସେବା ମନୋଭାବକୁ ଦେଖି ସ୍ଥାନୀୟ ଲୋକେ ଡାକ୍ତରଙ୍କୁ ପ୍ରଶଂସା କରୁଛନ୍ତି।
ଏ ସମ୍ପର୍କରେ ଡା. ଲଳିତ କୁମାର ଅଗ୍ରୱାଲଙ୍କୁ ପଚାରିବାରୁ ସେ କହିଥିଲେ, “ମୁଁ ଯଦି ଗୋଟିଏ ଦିନ ଛୁଟିରେ ଘରେ ରହେ, ତେବେ ମୋତେ ମନରେ ଶାନ୍ତି ମିଳେ ନାହିଁ। ଆଜି ମୁଁ ଶିଶୁଙ୍କ ଚିକିତ୍ସା କରିପାରିଲି ନାହିଁ ବୋଲି ଅନୁତାପ ହୁଏ। ସେଥିପାଇଁ ବାଟେଘାଟେ କୌଣସି ଅସୁସ୍ଥ ଶିଶୁଙ୍କୁ ଦେଖିଲେ ପ୍ରଥମେ ତାଙ୍କର ଚିକିତ୍ସା କରିବାକୁ ଚେଷ୍ଟା କରେ। ଏହାଦ୍ୱାରା ମୋତେ ମାନସିକ ଶାନ୍ତି ମିଳେ। ଡାକ୍ତରଙ୍କ ଏଭଳି ନିଷ୍ଠା, ସେବା ମନୋଭାବ ଓ ମାନବିକତା ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ପାଲଟିଛି।