ମୋହନା, ୭।୧୧(ମନ୍ମଥ ମିଶ୍ର): ଅର୍ଣ୍ଣବ ବାତ୍ୟା ପରେ ମୋହନା ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ପହଞ୍ଚିଥିଲେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ। ପ୍ରଥମେ ସେ ବାତ୍ୟାରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ମୋହନାସ୍ଥିତ ଲେଡବନ୍ଧ ରାସ୍ତା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।
ପରେ ମୋହନା ସହରକୁ ପାନୀୟ ଜଳ ଯୋଗାଣ ହେଉଥିବା ପମ୍ପ ହାଉସ୍ ବୁଲି ଦେଖିଥିଲେ। ପମ୍ପ ହାଉସ୍ରେ ଥିବା ଦୁଇଟି ଇଣ୍ଟେକ୍ ୱାଲ୍ ମାଧ୍ୟମରେ ନଦୀର ଗୋଳିଆ ପାଣି ସିଧାସଳଖ ସହରବାସୀଙ୍କୁ ଯୋଗାଣ ହେଉଥିବା ଜାଣି ସେ ଉଦ୍ବେଗ ପ୍ରକାଶ କରିଥିଲେ। ପାନୀୟ ଜଳ ଭଳି ଏକ ମୌଳିକ ସୁବିଧା କ୍ଷେତ୍ରରେ ଏଭଳି ସ୍ଥିତି ରହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ।
ସେହିପରି ମୋହନାରେ ନୂତନ ଭାବେ ନିର୍ମାଣାଧୀନ ବସ୍ଷ୍ଟାଣ୍ଡ ପରିଦର୍ଶନ କରିବା ସହ ସହର ଦେଇ ପ୍ରବାହିତ ନଦୀରେ ସୁରକ୍ଷା ପ୍ରାଚୀର ବା ପ୍ରୋଟେକ୍ସନ ୱାଲ୍ ନିର୍ମାଣର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଅନ୍ୟପକ୍ଷରେ, ମୋହନା ଏକ ନିର୍ବାଚନମଣ୍ଡଳୀ ହୋଇଥିବା ସତ୍ତ୍ୱେ ମୋହନା ସହରକୁ ଏନ୍ଏସି ମାନ୍ୟତା ମିଳୁନଥିବା ନେଇ ସେ ପ୍ରଶ୍ନ ଉଠାଇଥିଲେ। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ମୋହନାକୁ ଏନ୍ଏସି ଘୋଷଣା ନକରିବା ଚିନ୍ତାଜନକ ବିଷୟ ବୋଲି ସେ ମତ ପ୍ରକାଶ କରିଥିଲେ।
ଏହି ଗସ୍ତ ସମୟରେ ଲୋକସଭା ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ଶଙ୍କର ପ୍ରଧାନ, ବ୍ଲକ୍ ସଭାପତି ହରିହର ସାହୁ, ସମିତି ସଭ୍ୟ ବାଳକୃଷ୍ଣ ମଲ୍ଲିକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।