ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ହେଲେ ଭକ୍ତ ଦାସ, ହଟିଲେ ବିଜୟ

ଭୁବନେଶ୍ୱର, ୨୨।୩(ସୁନିତ୍‌ ମିଶ୍ର):ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ସାଙ୍ଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପ୍ରଚାର କମିଟିର ଅଧ୍ୟକ୍ଷ ନିଯୁକ୍ତ କରିଛି। ଏନେଇ ଗୁରୁବାର ରାତିରେ ବିଜ୍ଞପ୍ତି ଜାରି କରାଯାଇଛି। ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ ତାଙ୍କୁ ଏହି ନିଯୁକ୍ତି ଦେଇଥିବା ନେଇ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ଦସ୍ତଖତ ସମ୍ବଳିତ ଏକ ଚିଠି ଜାରି କରାଯାଇଛି। ଏହି ପଦରେ ବିଜୟ ପଟ୍ଟନାୟକଙ୍କୁ ରଖାଯାଇଥିଲା। ତେବେ ନିର୍ବାଚନକୁ ଆଉ କେଇଦିନ ବାକି ଥିବାବେଳେ ବିଜୟଙ୍କୁ କେଉଁ ପରିସ୍ଥିତିରେ ତାଙ୍କ ପଦରୁ କାଢ଼ି ଦିଆଗଲା ସେନେଇ କିଛି ଖବର ନାହିଁ। ବିଜୟଙ୍କୁ ରାଜ୍ୟ ନିର୍ବାଚନ କୋର୍ଡିନେଶନ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି। ସେହିପରି କଂଗ୍ରେସ ପକ୍ଷରୁ ୧୦୩ ଜଣଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ରାଜନୈତିକ ବ୍ୟାପାର କମିଟିରେ ୬, ପ୍ରଦେଶ ନିର୍ବାଚନ କମିଟିରେ ୯, ଉପସଭାପତି ଭାବେ ୭, ସାଧାରଣ ସମ୍ପାଦକ ଭାବେ ୪୨ ଏବଂ ସମ୍ପାଦକ ଭାବେ ୩୯ ଜଣଙ୍କୁ ନିଯୁକ୍ତ କରାଯାଇଛି। ତେବେ ପ୍ରଚାର କମିଟି ଅଧ୍ୟକ୍ଷ ପଦରେ ଭକ୍ତ ଦାସଙ୍କୁ ଦାୟିତ୍ୱ ମିଳିବା ଏବଂ ବିଜୟଙ୍କୁ ପଦରୁ ହଟାଯିବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ କିଛିଦିନ ତଳେ କଂଗ୍ରେସ ଭବନଠାରେ ପ୍ରଚାର କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦଳର ବରିଷ୍ଠ ନେତା ଶରତ ରାଉତ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଚାର କମିଟି ଅଧ୍ୟକ୍ଷ ହେବାପରେ ଦଳର ପ୍ରଚାର ସମ୍ବନ୍ଧୀୟ କେଉଁ ପ୍ରକାର ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହାସହ କେତେଥର ପ୍ରଚାର କମିଟି ବୈଠକ ଏ ପର୍ଯ୍ୟନ୍ତ ବସିଛି ବୋଲି ମଧ୍ୟ ପଚାରିଥିଲେ। ଏହାବାଦ୍‌ ବେଦାନ୍ତ ସମ୍ବନ୍ଧିତ ଏକ ବିଷୟ ଉପରେ ମଧ୍ୟ ବିଜୟଙ୍କୁ ଏହି ଅବସରରେ ଶରତ ପ୍ରଶ୍ନ କରିବା ବିଷୟ କଂଗ୍ରେସ ଭବନରେ ଚହଳ ସୃଷ୍ଟି କରିଥିଲା। ଏହାପରେ ଗତ ବୁଧବାର ଦିଲ୍ଲୀରେ କଂଗ୍ରେସ ଓଡ଼ିଶାରେ ଆସନ୍ତା ନିର୍ବାଚନ ଲଢ଼ିବା ସମ୍ବନ୍ଧିତ ରଣକୌଶଳ ଉପରେ ଆଲୋଚନା ହେବା ଏବଂ ଗୁରୁବାର ବିଜୟଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ଦାୟିତ୍ୱ ମିଳିବା କଥାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।