ନୂଆଦିଲ୍ଲୀ,୨୧।୧୧: ପାକିସ୍ତାନ କ୍ରିକେଟ୍ରେ ପୁଣି ହଟଚମଟ ସୃଷ୍ଟି ହୋଇଛି। ଦଳର ସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ନୂଆ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଜାରି କରିଛି। ୨୦୨୬-୨୭ ସିଜିନ ପାଇଁ ମୋଟ ୩୮ ଜଣ ଖେଳାଳିଙ୍କୁ ଏହି ଚୁକ୍ତିରେ ସାମିଲ କରାଯାଇଛି। ତେବେ ବୋର୍ଡର କିଛି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ମହମ୍ମଦ ରିଜୱାନଙ୍କ ସମେତ ୩ ଜଣ ବଡ଼ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ଦିଆଯାଇଛି। ରିଜୱାନ ପାକିସ୍ତାନ ଦଳର ଜଣେ ପ୍ରମୁଖ ଖେଳାଳି ହୋଇଥିବା ବେଳେ ଏହି ନିଷ୍ପତ୍ତି ତାଙ୍କ କ୍ୟାରିୟରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।
ଗତଥର ପାକିସ୍ତାନ କ୍ରିକେଟ ବୋର୍ଡ ୩୦ ଜଣ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରିଥିଲା। ଏଥର ଏହି ସଂଖ୍ୟାକୁ ବୃଦ୍ଧି କରି ୩୮ କରାଯାଇଛି। ବିଭିନ୍ନ ବର୍ଗରେ ଯୁବ ଖେଳାଳିଙ୍କୁ ମଧ୍ୟ ସ୍ଥାନ ମିଳିଛି। ବୋର୍ଡ ଏହି ୩୮ ଜଣ ଖେଳାଳିଙ୍କୁ ୫ଟି ଭିନ୍ନ ବର୍ଗରେ ବିଭକ୍ତ କରିଛି।
– AB ବର୍ଗ: ଟେଷ୍ଟ ଓ ଦିନିକିଆ ଖେଳୁଥିବା ଖେଳାଳିଙ୍କ ପାଇଁ ଏହି ବର୍ଗ ରହିଛି। ଏଥିରେ ବାବର ଆଜମ ଓ ସଲମାନ ଆଗାଙ୍କୁ ସାମିଲ କରାଯାଇଛି। ଉଭୟ ପାକିସ୍ତାନର ପ୍ରମୁଖ ଖେଳାଳି।
– A ବର୍ଗ: କେବଳ ଟେଷ୍ଟ କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ଏହି ବର୍ଗରେ ରଖାଯାଇଛି।
– BC ବର୍ଗ: ଦିନିକିଆ ଓ ଟି-୨୦ କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ଏଥିରେ ସାମିଲ କରାଯାଇଛି।
– C ବର୍ଗ: କେବଳ ଟି-୨୦ କ୍ରିକେଟ ଖେଳୁଥିବା ଖେଳାଳିଙ୍କ ପାଇଁ ଏହି ବର୍ଗ ରହିଛି।
– D ବର୍ଗ: ଏଥର ବୋର୍ଡ ଏକ ନୂଆ ବର୍ଗ ସୃଷ୍ଟି କରିଛି। ଏଥିରେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ମହମ୍ମଦ ରିଜୱାନ, ଶାନ ମସୁଦ ଓ ସାଇମ ଆୟୁବଙ୍କ ଭଳି ତିନି ଜଣ ଷ୍ଟାର୍ ଖେଳାଳିଙ୍କୁ କୌଣସି ବର୍ଗରେ ସ୍ଥାନ ମିଳିନାହିଁ।