ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ ୬ ହଜାର ଟଙ୍କା ପିସି ନେଉଥିବା ଦୃଶ୍ୟ ସ୍ପଷ୍ଟ ଦେଖିବାକୁ ମିଳିଛି।
ରିଷିଗାଁ ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମରେ ହୋଇଥିବା ଏକ ଡ୍ରେନ୍ କାମର ବିଲ କରିଦେବା ପାଇଁ ଏହି ଟଙ୍କା ନିଆଯାଇଥିବା ଚର୍ଚ୍ଚା ହେଉଛି। ଉକ୍ତ ଡ୍ରେନ୍ କାମଟି ୩ ଲକ୍ଷ ୨୦ ହଜାର ଟଙ୍କାର ବୋଲି ଜଣାପଡିଛି। ବିଲ ପାସ୍ କରାଇଦେବା ନାଁରେ କର୍ମଚାରୀ ଜଣଙ୍କ ପିସି ମାଗୁଥିବା ଅଭିଯୋଗ ହୋଇଛି।
ଏ ନେଇ ଖଡ଼ିଆଳ ବିଡିଓ ମିଲନ କୁମାର ଝାଙ୍କରଙ୍କୁ ପଚାରିବାରୁ ଘଟଣା ବିଷୟରେ ସେ ଜାଣିନାହାନ୍ତି। ଭିଡିଓ ଦେଖିବା ପରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅନ୍ୟପକ୍ଷେ ଭିଡିଓ ଭାଇରାଲ ହେବା ପରେ ଖଡ଼ିଆଳ ବ୍ଲକରେ ସରକାରୀ କାମର ସ୍ବଚ୍ଛତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

